Categories: ଜାତୀୟ

ଦିନକୁ ଘଟୁଛି ୮୮ ବଳାତ୍କାର, ଦୋଷୀ ହାର ୩୦%ରୁ କମ୍‌

ନୂଆଦିଲ୍ଲୀ,୮।୧୦: ଦେଶରେ ମହିଳାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି। ବଳାତ୍କାର ସହ ନାନାଦି ପ୍ରକାର ଅକଥନୀୟ ଅତ୍ୟାଚାର କରାଯାଉଛି। ଗତ ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶର ହାଥ୍‌ରସ ଜିଲାରେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରତିବାଦ ଜାରି ରହିଛି। ରାତି ଅଧରେ ପରିବାର ଲୋକଙ୍କ ବିନା ଉପସ୍ଥିିତିରେ ପୀଡ଼ିତାଙ୍କ ମୃତଦେହ ପୋଡ଼ାଯିବା ଓ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଯାଇଛି। ଏମିତିକି ସୁପ୍ରିମକୋର୍ଟ ମଧ୍ୟ ଏଭଳି ଘଟଣା ଭୟାନକ ବୋଲି କହିଛନ୍ତି। ମାମଲାର ଏସ୍‌ଆଇଟି ତଦନ୍ତ କରାଯାଉଥିବାବେଳେ ସିବିଆଇ ତଦନ୍ତ ଲାଗି ରାଜ୍ୟ ସରକାର ସୁପାରିସ କରିଛନ୍ତି। ଏଭଳି ଅନେକ ବଳାତ୍କାର ଘଟଣା ଦିନକୁଦିନ ଘଟୁଛି ଓ ମହିଳାଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରାଯାଉଛି। ୨୦୧୨ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣା, ୨୦୧୭ ଉନ୍ନାଓ ବଳାତ୍କାର ଘଟଣା, ୨୦୧୮ କାଠୁଆ ବଳାତ୍କାର ଘଟଣା, ୨୦୧୯ ହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ଘଟଣା ମହିଳାଙ୍କ ପ୍ରତି ବଢ଼ିଚାଲିଥିବା ଅତ୍ୟାଚାରକୁ ଦର୍ଶାଉଛି।
ଥୋମାସ ରଏଟର୍ସ ଫାଉଣ୍ଡେଶନ ପକ୍ଷରୁ ୨୦୧୮ରେ କରାଯାଇଥିବା ଏକ ସର୍ଭେରୁ ଭାରତ ମହିଳାଙ୍କ ଲାଗି ବିପଦପୂର୍ଣ୍ଣ ଦେଶ ଭାବେ ଉଭା ହୋଇଥିବା ଦର୍ଶାଯାଇଛି। ଏନ୍‌ସିଆର୍‌ବି ରିପୋର୍ଟ ମୁତାବକ ୨୦୧୯ରେ ମହିଳାଙ୍କ ପ୍ରତି ଏଭଳି ଅସଦାଚରଣ ମାମଲା ୪ ଲକ୍ଷରୁ ଊର୍ଦ୍ଧ୍ୱ ଦେଖିବାକୁ ମିଳିଥିଲା। ଏହା ୨୦୧୮ରେ ୩.୭୮ ଲକ୍ଷ, ୨୦୧୭ରେ ୩.୫୯ ଲକ୍ଷ ଥିଲା। ଏସବୁ ମଧ୍ୟରେ ଦିନକୁ ୮୮ ବଳାତ୍କାର ଘଟଣା ଘଟୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହି ବଳାତ୍କାର ମାମଲାରେ ଦୋଷୀ ହାର ମାତ୍ର ୩୦%ରୁ କମ୍‌ ରହିଥିବା କୁହାଯାଇଛି। ଏଭଳି ଅନେକ ଘଟଣା ଆଖିଆଗକୁ ଆସୁ ନ ଥିବାବେଳେ ବହୁ ଘଟଣାକୁ ଚପାଇ ଦିଆଯାଉଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି। ଦେଶର ଉତ୍ତରପ୍ରଦେଶରେ ସବୁଠାରୁ ସ୍ଥିତି ଖରାପ ରହିଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୧୯ରେ ଏହି ରାଜ୍ୟରେ ମହିଳାଙ୍କ ପ୍ରତି ସବୁଠାରୁ ଅଧିକ ଅପରାଧ ଘଟିଛି। ଏଠାରେ ୫୯,୮୫୩ ଅପରାଧ ମାମଲା କରାଯାଇଥିବାବେଳେ ରାଜସ୍ଥାନରେ ୪୧,୫୫୦ ଓ ମହାରାଷ୍ଟ୍ରରେ ୩୭,୧୪୪ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି।

Share