ଭୁବନେଶ୍ୱର,୧୨ା୮(ବ୍ୟୁରୋ):ଗୁଣାତ୍ମକ ଶିକ୍ଷା ଅଭାବରୁ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଅଭିଭାବକମାନେ ସରକାରୀ ସ୍କୁଲରୁ ମୁହଁ ମୋଡୁଛନ୍ତି। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ନ ଥିବା ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟ ନିଜ ପିଲାକୁ ସରକାରୀ ସ୍କୁଲରେ ପଢ଼ାଇବାକୁ ଆଉ ଆଗ୍ରହ ଦେଖାଉନାହାନ୍ତି। ତେଣୁ ଧୀରେ ଧୀରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମି କମି ଯାଉଛି। ଶିକ୍ଷକ ଅଭାବ ଏହି ସ୍ଥିତିକୁ ଆହୁରି ସଙ୍ଗିନ କରି ଦେଇଛି। ଗାଁଠୁ ସହର ସବୁଠି ପବ୍ଲିକ ସ୍କୁଲ ସଂଖ୍ୟା ବଢ଼ିଯାଉଥିବାରୁ ସରକାରୀ ସ୍କୁଲକୁ ପିଲାଙ୍କୁ ପଠାଇବାକୁ ମାତାପିତା ରାଜି ହେଉ ନାହାନ୍ତି। ଫଳରେ ସରକାର ବାଧ୍ୟ ହୋଇ ୧୦ରୁ କମ୍ ସଂଖ୍ୟକ ଛାତ୍ରୀଛାତ୍ର ଥିବା ସ୍କୁଲଗୁଡ଼ିକୁ ବନ୍ଦ କରୁଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୬ ବର୍ଷ (୨୦୧୫-୧୬ରୁ୨୦୨୧-୨୨)ରେ ରାଜ୍ୟରେ ୧୦ରୁ କମ୍ ପିଲା ଥିବା ୮୮୯ ସ୍କୁଲକୁ ସମ୍ପୂର୍ଣ୍ଣ ବନ୍ଦକରି ଦିଆଯାଇଛି। ସେହିପରି ୧୦ରୁ ୨୦ କିମ୍ବା ଏହାଠାରୁ ସାମାନ୍ୟ ଅଧିକ ଥିବା ୪,୯୧୬ ସ୍କୁଲକୁ ମଧ୍ୟ ନିକଟସ୍ଥ ସ୍କୁଲରେ ମିଶାଇବାକୁ ସରକାର ବାଧ୍ୟ ହୋଇଛନ୍ତି। ରାଜ୍ୟ ସରକାର ଶିକ୍ଷା ପାଇଁ ବଜେଟରେ ବହୁ କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। ହେଲେ ପ୍ରାଥମିକ ସ୍କୁଲ ପଢ଼ାରେ କୌଣସି ସୁଧାର ଆସିପାରୁ ନାହିଁ। ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ବଜେଟରେ ସ୍କୁଲ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭,୩୨୪ କୋଟି ବ୍ୟୟବରାଦ କରିଛନ୍ତି। ସ୍କୁଲ ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ପିଲାମାନେ କିପରି ଗୁଣାତ୍ମକ ଶିକ୍ଷା ପାଇବେ ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଉ ନ ଥିବା ଶିକ୍ଷାବିତ୍ଙ୍କୁ ବ୍ୟଥିତ କରିଛି। ଶିକ୍ଷକ କିମ୍ବା ଶିକ୍ଷା ବିଭାଗ ଉତ୍ତରଦାୟୀ ହେଉ ନ ଥିବାରୁ ପ୍ରାଥମିକ ଶିକ୍ଷାରେ ଅବନତି ଘଟି ଚାଲିଛି। ଗୋଟେ ଗୋଟେ ସ୍କୁଲରେ ଜଣେ ଶିକ୍ଷକ ୫ଟି ଶ୍ରେଣୀରେ ପଢ଼ାଉଛନ୍ତି। ଅନେକ ସମୟରେ ଦେଖିବାକୁ ମିଳୁଛି ଯେ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପ୍ରଥମ ଶ୍ରେଣୀ ପାଠ ମଧ୍ୟ ଜଣାନାହିଁ। ନିକଟରେ ଗଣଶିକ୍ଷା ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲା ଗସ୍ତ ବେଳେ ଏକଥାକୁ ହୃଦୟଙ୍ଗମ କରିଛନ୍ତି। ମାଗଣା ମଧ୍ୟାହ୍ନଭୋଜନ, ସାଇକେଲ, ପୋଷାକ, ବୃତ୍ତି ଠାରୁ ଆରମ୍ଭ କରି ଭିତ୍ତିଭୂମି, ଶିକ୍ଷକ କର୍ମଚାରୀଙ୍କ ଦରମା ଆଦି ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରାଥମିକ ଶିକ୍ଷା ପ୍ରତି ଲୋକଙ୍କ ଆଗ୍ରହ କମିବା ସରକାରୀ ଶିକ୍ଷା ବ୍ୟବସ୍ଥା ପାଇଁ ସତର୍କଘଣ୍ଟି ବୋଲି ଶିକ୍ଷାବିତ୍ ମତ ଦେଉଛନ୍ତି।
ପୂର୍ବତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ତଥା ଶିକ୍ଷାବିତ୍ ସତ୍ୟକାମ ମିଶ୍ର କହିଛନ୍ତି ଯେ, କମ୍ ପିଲା ଥିବାରୁ ଖର୍ଚ୍ଚ କମାଇବାକୁ ସରକାର ସ୍କୁଲ ବନ୍ଦ କରୁଛନ୍ତି। ସବୁ ବିଷୟରେ ପିଲାମାନଙ୍କୁ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ଘରୋଇ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଭଲ ଶିକ୍ଷା ମିଳୁଥିବାରୁ ସେଠାକୁ ଚାଲି ଯାଉଛନ୍ତି। ସ୍କୁଲ ଓ ପିଲାମାନଙ୍କ ପ୍ରତି ଶିକ୍ଷକମାନଙ୍କର ବ୍ୟକ୍ତିଗତ ସମ୍ପୃକ୍ତି ରହୁନାହିଁ। ଯେଉଁମାନଙ୍କୁ ଡ୍ରପ୍ଆଉଟ ରୋକିବା ପାଇଁ ନିୟୋଜିତ କରାଯାଇଥିଲା, ସେମାନଙ୍କୁ ଶିକ୍ଷକ ମାନ୍ୟତା ଦେବା ଦ୍ୱାରା ପ୍ରାଥମିକ ଶିକ୍ଷାରେ ଅବନତି ହୋଇଛି। ସହରରୁଠାରୁ ଗାଁ ସବୁଠି ପବ୍ଲିକ ସ୍କୁଲ ଖୋଲିଗଲାଣି। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଅଭିଭାବକମାନେ ଘରୋଇ ସ୍କୁଲକୁ ଅଧିକ ପସନ୍ଦ କରୁଛନ୍ତି। ଯେଉଁ ମାତାପିତା ଓଡ଼ିଆ ସ୍କୁଲରେ ପିଲାଙ୍କୁ ପଢ଼ାଇବାକୁ ଚାହୁଁଛନ୍ତି ସେମାନେ ସରସ୍ବତୀ ଶିଶୁ ମନ୍ଦିରକୁ ଯାଉଛନ୍ତି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନ ସୁଧାରିଲେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ଆହୁରି କମିବ ବୋଲି ସେ କହିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଶିକ୍ଷା ଅଧିକାର (ଆରଟିଇ) ଆଇନ ଅନୁଯାୟୀ ପ୍ରତି ପଡ଼ା ଓ ଗ୍ରାମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲାଯାଇଥିଲା। ସେହି ସ୍କୁଲଗୁଡ଼ିକରେ ୧୦ରୁ କମ୍ ଛାତ୍ରୀଛାତ୍ର ଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇଛି। ସେଠାରେ ପଢୁଥିବା ପିଲାମାନଙ୍କୁ ନିକଟସ୍ଥ ସ୍କୁଲକୁ ଯିବା ଲାଗି ମାସିକ ୭୦୦ ଟଙ୍କା ଦିଆଯାଉଛି। ଅଧିକ ସ୍କୁଲ କାରଣରୁ ବନ୍ଦ କରାଯାଇଛି। ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଏଥିରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ମନ୍ତ୍ରୀ ଦାଶ କହିଛନ୍ତି।