ଆଳି,୪।୪(ଡି.ଏନ.ଏ.): ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତ କଳଦିଆ ଗ୍ରାମର ଲିପକ୍ ସାହୁଙ୍କ ପୁଅ ରୁଦ୍ରପ୍ରତାପ ରାଧାନାଥ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ୧୪ ବର୍ଷରୁ କମ୍ ବାଳକ ଭଲିବଲ ବର୍ଗରେ ଜାତୀୟ ସ୍ତରରେ ଖେଳିବାକୁ କେନ୍ଦ୍ରାପଡ଼ା ଜିଲାର ଏକ ମାତ୍ର ଛାତ୍ର ଭାବେ ସେ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ୨୬ରୁ ୨୯ ତାରିଖ ମଧ୍ୟରେ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକଠାରେ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନ ଶିପ ଖେଳରେ ଜିଲା ରନର୍ସ ଅପ ହୋଇଥିଲା। ଏଥିରେ ରୁଦ୍ରପ୍ରତାପଙ୍କ ଖେଳ ବିଚାରକଙ୍କ ନଜରରେ ଖୁବ୍ ପ୍ରଭାବଶାଳୀ ହୋଇଥିଲା। ଓଡ଼ିଶା ଟିମ୍ ପାଇଁ ମନୋନୀତ ଖେଳାଳି ତାଲିକା ମଧ୍ୟରେ ରୁଦ୍ରପ୍ରତାପ ସ୍ଥାନ ପାଇ ଜିଲା ତଥା ଆଳି ଅଞ୍ଚଳ ପାଇଁ ଗୌରବ ଆଣି ଥିବାରୁ ସେ ପଢୁଥିବା ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଆଞ୍ଚଳିକ ସାଧନ ସଂଯୋଜିକା ତଥା ସମଗ୍ର ନମୌଜାର ବୁଦ୍ଧିଜୀବୀମାନେ ରୁଦ୍ରପ୍ରତାପଙ୍କ ଭବିଷ୍ୟତ କ୍ରୀଡ଼ା ଜୀବନର ଉତ୍ତୋରତର ଉନ୍ନତି କାମନା କରିଛନ୍ତି।