ବାହାରିଥିଲେ ସ୍କୁଲ, ପୋଖରୀରେ ବୁଡି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨।୧୦ (ସୂର୍ଯ୍ୟକାନ୍ତ ବେହେରା) : ଗାନ୍ଧୀ ଜୟନ୍ତୀରେ ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗମାନଙ୍କ ସହ ପୋଖରୀରେ ଗାଧୋଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ବୁଡି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାର ନୀଳାକାନ୍ତଶ୍ୱର ମନ୍ଦିର ନିକଟରେ ଅବସ୍ଥିତ ପୋଖରୀରେ ଏହି ଅଘଟଣ ଘଟିଛି । ମୃତ ଛାତ୍ର ବରମୁଣ୍ଡା ମ୍ୟୁନିସିପାଲିଟି କର୍ପୋରେସନ ହାଇସ୍କୁଲର ଛାତ୍ର ଓମ୍‌ ପ୍ରକାଶ ପ୍ରଧାନ ବୋଲି ଜଣାପଡିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
ସୂଚନାଯୋଗ୍ୟ, ସୋମବାର ଗାନ୍ଧୀ ଜୟନ୍ତୀ ପଡିବାରୁ ଓମ ଓ ତାଙ୍କ ତିନି ଜଣ ସାଙ୍ଗ ସ୍କୁଲ ଯିବା ପାଇଁ ହଷ୍ଟେଲରୁ ବାହାରିଥିଲେ । ହେଲେ ସ୍କୁଲ ଯିବା ବଦଳରେ ଓମ୍‌ ଏବଂ ତାଙ୍କ ସାଙ୍ଗମାନେ ମନ୍ଦିର ନିକଟରେ ଅବସ୍ଥିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିଛି ସମୟ ଗାଧୋଇବା ପରେ ଓମ୍‌ଙ୍କ ପାଦ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ମହିଳାମାନେ ଦେଖି ସଙ୍ଗେସଙ୍ଗେ ଲୋକଙ୍କୁ ଖବର ଦେଇଥିଲେ । ଖବରପାଇ ସ୍ଥାନୀୟ ଲୋକେ ଓମଙ୍କୁ ପାଣିରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପରପକ୍ଷେ ଉଦ୍ଧାର ବେଳେ ଓମ୍‌ଙ୍କ ନାକରୁ ରକ୍ତ ବାହାରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

Share