ଚିହ୍ନଟ ହେଲେ ୯.୫୯ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର,୧୭ା୧(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯.୫୯ ଲକ୍ଷ ହିତାଧିକାରୀ ପକ୍କାଘର ପାଇବା ନେଇ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୦ ଜିଲାରୁ ୮ଲକ୍ଷ ୧୭ ହଜାର ହିତାଧିକାରୀ ରହିଛନ୍ତି। ବାକି ୧ ଲକ୍ଷ ୪୨ ହଜାର ଫନି କ୍ଷତିଗ୍ରସ୍ତ ୧୪ ଜିଲାର ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ବତନ୍ତ୍ର ଭାବେ ସାମିଲ କରାଯାଇଛି।
ରାଜ୍ୟ ସରକାର ଚଳିତ ବର୍ଷ ୧୨ ଲକ୍ଷ ୨୫ ହଜାର ହିତାଧିକାରୀଙ୍କୁ ଆବାସ ଘର ଯୋଗାଇବାକୁ ଟାର୍ଗେଟ ରଖିଛନ୍ତି। ହିତାଧିକାରୀଙ୍କ ତାଲିକା ପଞ୍ଚାୟତ ଅଫିସ, ଗାଁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ସମେତ ଅନ୍ୟ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ କରାଯାଇଛି। ଏହାକୁ ନେଇ ଆପତ୍ତି ଉଠାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିରେ ଯଦି କେହି ଅଯୋଗ୍ୟ ହିତାଧିକାରୀ ଥିବା ନେଇ କାହାର ଅଭିଯୋଗ ଥିବ ତେବେ ଜାନୁୟାରୀ ୨୪ ସୁଦ୍ଧା ବିଧିବଦ୍ଧ ଭାବେ ଅଭିଯୋଗ କରିପାରିବେ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କୁହାଯାଇଛି। ପିଇଓ କିମ୍ବା ଜିଆରଏସ୍‌ ସମେତ ବ୍ଲକର ୨ ଜଣ କର୍ମଚାରୀଙ୍କ ଦ୍ବାରା ତଦନ୍ତ କରାଯାଇ ସମ୍ଭାବ୍ୟ ତାଲିକାରୁ ଅଯୋଗ୍ୟ ପରିବାରଙ୍କ ନାଁ କାଟି ସମସ୍ତ ଯୋଗ୍ୟ ପରିବାରଙ୍କ ତାଲିକା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯିବ।

Share