Categories: ବାଣିଜ୍ୟ

ଫେବୃୟାରୀରେ ୯୭୦୦ କୋଟି ଶେୟାର ବିକ୍ରି

ନୂଆଦିଲ୍ଲୀ,୧୩।୨: ବିଗତ କିଛିଦିନ ହେବ ଭୌଗୋଳିକ କାରଣରୁ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି, ଏପରି କି ଶେୟାର ବଜାରରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଫଳରେ ଭାରତୀୟ ଶେୟାର ବଜାରରୁ କ୍ରମାଗତ ଭାବେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେହିଭଳି ଚଳିତବର୍ଷ ଫେବୃୟାରୀ ୨ୟ ସପ୍ତାହ ମଧ୍ୟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ପ୍ରାୟ ୯୭୦୦ କୋଟି ଟଙ୍କାର ଶେୟାର ପ୍ରତ୍ୟାହାର କରିସାରିଛନ୍ତି। ଶେୟାର ବଜାରର ତଥ୍ୟ ଅନୁଯାୟୀ ୨୦୨୩ ଜାନୁୟାରୀରେ ମୋଟ ୨୮,୮୫୨ କୋଟିର ଏଫପିଆଇ ପ୍ରତ୍ୟାହାର ହୋଇଥିଲା। ଏପରି କି ଉକ୍ତ ପରିମାଣ ଗତ ୭ମାସରେ ସବୁଠୁ ଅଧିକ ପ୍ରତ୍ୟାହାର ଥିଲା।

ସେହିଭଳି ୨୦୨୩ ଫେବୃୟାରୀ ୧ ରୁ ୧୦ ମଧ୍ୟରେ ଭାରତୀୟ ଶେୟାର ବଜାରରୁ ପ୍ରାୟ ୯,୬୭୨ କୋଟି ଟଙ୍କା ପ୍ରତ୍ୟାହାର ହୋଇଛି। ଯେତେବେଳେ କି ବିଦେଶୀ ନିବେଶକ ୨୦୨୨ ଡିସେମ୍ବରରେ ୧୧,୧୧୯ କୋଟି ଟଙ୍କା ଏବଂ ୨୦୨୨ ନଭେମ୍ବରରେ ୩୬, ୨୩୮ କୋଟି ଟଙ୍କାର ନିବେଶ ଭାରତୀୟ ବଜାର କରିଥିଲେ। ଏ ସମ୍ପର୍କରେ କୋଟକ୍‌ ସିକ୍ୟୁରିଟିଜ୍‌ର ମୁଖ୍ୟ ଶ୍ରୀକାନ୍ତ ଚୌହାନ କହିଛନ୍ତି, କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ସୁଧ ହାରରେ ବୃଦ୍ଧି ଜାରି ରଖିବା ଦ୍ବାରା ଏଭଳି ହେଉଛି। ଏପରି କି ଆଗକୁ ମଧ୍ୟ ଏଫ୍‌ପିଆଇ ପ୍ରତ୍ୟାହାର ଜାରି ରହିବାର ଆଶଙ୍କା ରହିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତୀୟ ବଜାରରୁ କଢ଼ାଯାଇଥିବା ପୁଞ୍ଜି ତାଇଓ୍ବାନ, ଦକ୍ଷିଣ କୋରିଆ ଏବଂ ଜାପାନ ଭଳି ବଜାରରେ ଲଗାଯାଉଛି। ଚାଇନାରେ ଲକ୍‌ଡାଉନ୍‌ ହଟାଇବା ପରେ ପୁଣି ଥରେ ବିଦେଶୀ ନିବେଶକ ଆକର୍ଷିତ ହୋଇଛନ୍ତି। ଏପରି କି ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଅନ୍ୟ ବଜାର ତୁଳନାରେ ଭାରତୀୟ ଶେୟାର ମାର୍କେଟର ଉଚ୍ଚ ମୂଲ୍ୟାଙ୍କନକୁ ଦେଖି ବିଦେଶୀ ନିବେଶକମାନେ ଏହି ପ୍ରତ୍ୟାହାର କରୁଛନ୍ତି।

Share