ଭୁବନେଶ୍ୱର,୧୬ା୮(ବ୍ୟୁରୋ): ସୋମବାରଠାରୁ ରାଜ୍ୟରେ ନବମ ଶ୍ରେଣୀ ପିଲାଙ୍କ ପାଇଁ ଶ୍ରେଣୀକକ୍ଷରେ ପାଠପଢ଼ା ଆରମ୍ଭ ହୋଇଛି। କରୋନା ସଂକ୍ରମଣ କମିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ସ୍କୁଲକୁ ପଢ଼ିବାକୁ ଆସିଛନ୍ତି। ସକାଳ ୯ଟାରୁ କ୍ଲାସ ଆରମ୍ଭ ହୋଇଥିବା ବେଳେ ସାଢ଼େ ୧୨ଟାରେ ସରିବ।
ପ୍ରବେଶ ପଥରେ ପିଲାମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ ଛଡ଼ାଯାଇଛି। ସମସ୍ତେ ମାସ୍କ ପିନ୍ଧିବା ସହ ହାତକୁ ସାନିଟାଇଜ କରି ଶ୍ରେଣୀଗୃହକୁ ପ୍ରବେଶ କରିଛନ୍ତି। ସାମାଜିକ ଦୂରତା ବଜାୟ ରଖି ଛାତ୍ରୀଛାତ୍ର ଶ୍ରେଣୀରେ ବସି ପାଠ ପଢ଼ୁଛନ୍ତି। ପାନୀୟ ଜଳ, ଶୌଚାଳୟ ବ୍ୟବସ୍ଥା ସହ ସ୍କୁଲ ପରିସରକୁ ପୂର୍ବରୁ ସାନିଟାଇଜ କରାଯାଇଛି।
କରୋନା କାଳରେ କେମିତି ଅଫଲାଇନ ପାଠପଢ଼ା ହେବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍ଓପି ଜାରି ହୋଇଛି । ଉଭୟ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ କୋଭିଡ ଗାଇଡ୍ଲାଇନକୁ କଡ଼ାକଡ଼ି ପାଳନ କରିବେ। ପୂର୍ବରୁ କୋଭିଡ୍ କଟକଣା ଓ ଗାଇଡ୍ଲାଇନ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇସାରିଛି।