୯ ଦିନ ପରେ କରୋନା ଆକ୍ରାନ୍ତଙ୍କଠାରୁ ହୁଏନା ସଂକ୍ରମଣ

ଲଣ୍ଡନ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କଠାରୁ ସଂକ୍ରମଣ କେତେ ଦିନ ପର୍ଯ୍ୟନ୍ତ ହୋଇଥାଏ ସେ ସମ୍ପର୍କରେ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ୯ ଦିନ ପରେ ଆକ୍ରାନ୍ତଙ୍କଠାରୁ ଅନ୍ୟଙ୍କୁ କୌଣସି ସଂକ୍ରମଣ ହୋଇ ନ ଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ସମୟ ମଧ୍ୟରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ନାକରେ ପ୍ରବେଶ କରି ଗଳାରେ ସଂକ୍ରମଣ କରିବା ଆରମ୍ଭ କରିଥିଲେ ମଧ୍ୟ ଅନ୍ୟ କାହା ପ୍ରତି ସଂକ୍ରମଣର ଭୟ ନ ଥାଏ। ବ୍ରିଟେନରେ ଗବେଷକ ୭୯ ଦିନ ଧରି ଆକ୍ରାନ୍ତଙ୍କ ଉପରେ ପରୀକ୍ଷା ନିରୀକ୍ଷା କରିବା ପରେ ଏହାର ରିପୋର୍ଟ ପ୍ରକାଶ କରିଛନ୍ତି। ୯ ଦିନ ପରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ହାର୍ଟ ଏବଂ ନର୍ଭ ସିଷ୍ଟମ୍‌ ଉପରେ ପ୍ରଭାବ ପକାଇଥାଏ। କରୋନା ଭୂତାଣୁ ସଂକ୍ରମଣ ହେବାର ୧୭ରୁ ୮୩ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ଗଳାରେ ପହଞ୍ଚିଥାଏ। ପରବର୍ତ୍ତୀ ସମୟରେ ଏହା ଶରୀରର ଅନ୍ୟ ଅଂଶରେ ପହଞ୍ଚେ ବୋଲି ଗବେଷକ କହିଛନ୍ତି। ଗବେଷକ ପ୍ରଫେସର ମୁଗେ କୋବିକ୍‌ ଏବଂ ଏଣ୍ଟୋନିଆ ହୋଙ୍କ ଅନୁସାରେ ସଂକ୍ରମଣ ହେବାର ପ୍ରଥମ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କଠାରେ ଲକ୍ଷଣ ପ୍ରକାଶ ପାଇବା ଆରମ୍ଭ କରିଥାଏ। ଏହାପରେ ତାଙ୍କର ନମୁନା ପରୀକ୍ଷା ହୋଇଥାଏ। ଅର୍ଥାତ୍‌ ନମୁନା ପରୀକ୍ଷା ହେବା ପୂର୍ବରୁ ଆକ୍ରାନ୍ତମାନେ ଭୟଙ୍କର ସ୍ଥିତି ସମୟକୁ ଅତିକ୍ରମ କରି ସାରିଥାନ୍ତି। ସଂକ୍ରମଣ ହେବା ପରେପରେ ଆକ୍ରାନ୍ତଙ୍କଠାରୁ ଅନ୍ୟମାନଙ୍କୁ କରୋନା ବ୍ୟାପିବାର ଅଧିକ ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

Share