ଖୋଲା ଆକାଶ ତଳେ ୯ ପରିବାର

ମହାକାଳପଡ଼ା,୪।୧୨ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବିଜୟନଗର (ଶାସନପଡ଼ା) ଠାରେ ୯ ପରିବାର ଦୀର୍ଘବର୍ଷ ହେବ ଗୋଚର ଜମିକୁ ଜବରଦଖଲ କରି ସ୍ଥାୟୀ ବାସଗୃହ ନିର୍ମାଣ କରି ବସବାସ କରୁଥିଲେ। ଏ ନେଇ ଶାସନପଡ଼ାର କେତେଜଣ ଲୋକ ହାଇକୋର୍ଟରେ ଗୋଚର ଜମିରେ ଗୃହ ନିର୍ମାଣକୁ ବିରୋଧ କରି ୨୦୧୯ ମାମଲା ରୁଜୁ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୯ ପରିବାରର ମୋଟ ୧୫ ଡିସିମିଲ ଜମିକୁ ଉଚ୍ଛେଦ କରିବାକୁ ମହାକାଳପଡ଼ା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତହସିଲଦାର ଜବରଦଖଲରେ ଥିବା ପରିବାରମାନଙ୍କୁ ଏକ ମାସ ପୂର୍ବେ ଉଚ୍ଛେଦ କରିବାକୁ ନୋଟିସ ଦେଇଥିଲେ। ଆଇନ ଅନୁଯାୟୀ, ନୋଟିସ ପାଇଥିବା ପରିବାରକୁ ସମସ୍ତ ଆସବାବପତ୍ର ଖାଲି କରିବାକୁ କୁହାଯାଇଥିଲା। ଶନିବାର ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଉକ୍ତ ସ୍ଥାନରେ ପହଞ୍ଚତ୍ ଡାକବାଜି ଯନ୍ତ୍ର ମାଧ୍ୟମରେ ହାଇକୋର୍ଟଙ୍କ ଆଦ୍ଦେଶନାମା ଘୋଷଣା କରିଥିଲେ। ପରେ କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜୟନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ୨ପ୍ଲାଟୁନ୍‌ ଫୋର୍ସ ସହ ମହାକାଳପଡ଼ା ଥାନା ଅଧିକାରୀ ମହେଶ୍ୱର ସେଠୀ ଓ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ଉଚ୍ଛେଦ ସ୍ଥଳରେ ମୁତୟନ ରହିଥିଲେ। ଜେସିବି ଲଗାଇ ପ୍ରଥମେ ପକ୍କା ଗୃହକୁ ଭଙ୍ଗାଯିବା ପରେ ଚାଳ ଘରକୁ ଉଚ୍ଛେଦ କରାଯାଇଥିଲା।
ସୂଚନାଯୋଗ୍ୟ, ୧୯୮୨ ବାତ୍ୟାରେ ୯ ପରିବାର ନିକଟ ଗୋବରୀ ନଦୀ କୂଳରେ ନିଜସ୍ବ ଜମିରେ ବସବାସ କରୁଥିଲେ। ବାତ୍ୟାରେ ଘରଦ୍ୱାର ସମ୍ପୂର୍ଣ୍ଣ ନଦୀ ଗର୍ଭକୁ ଚାଲିଯିବା ପରେ ଉକ୍ତ ପରିବାର ସବୁ ନିକଟରେ ଥିବା ଗୋଚର ଜମିରେ ଘର କରି ରହି ଆସୁଥିଲେ। ଏହି ପରିବାର ଦୀର୍ଘବର୍ଷ ହେବ ବସବାସ କରି ଆସୁଥିବାବେଳେ ଉକ୍ତ ଗୋଚର ଜମିକୁ ନେଇ ପଡ଼ାରେ ବିବାଦ ଆରମ୍ଭ ହୋଇଥିଲା। ଶନିବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଗୋଚର ଜମିରେ ନିର୍ମାଣ ହୋଇଥିବା ଘର ଦ୍ୱାରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଅପରପକ୍ଷରେ ବାସ ହରାଇ ଥିବା ପରିବାର ସବୁକୁ ସ୍ଥାନୀୟ ପ୍ରଶାସନ ଥଇଥାନ ଗୁରୁତ୍ୱ ନ ଦେଇ ଗୃହ ଭାଙ୍ଗି ଦେଇଛି। ବାସଚ୍ୟୁତ ପରିବାର ସବୁ ଖୋଲା ଆକାଶ ତଳେ ଶୀତ ରାତିରେ କେଉଁଠି ମୁଣ୍ଡ ଗୁଞ୍ଜିବେ ରାହା ଖୋଜୁଛନ୍ତି। ଉଚ୍ଛେଦରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରୀ ପ୍ରତୀକ୍ଷା ଦାସ କୁହନ୍ତି, ପ୍ରଶାସନ ଆମ ଘର ଭାଙ୍ଗି ଦେଲା। ଆମେ କାଲିଠାରୁ ଉପବାସରେ ଅଛୁ। ମୋର ପରୀକ୍ଷା ସାହିତ୍ୟ ଥିଲା। ଘର ଭଙ୍ଗା ଯିବାରୁ ପରୀକ୍ଷା ଦେଇ ପାରିଲିନାହିଁ। ବହିପତ୍ର ସବୁ ମାଟି ତଳେ ଚାପି ହୋଇରହିଛି। କେମିତି ମୁଁ ପଢିବି ବୋଲି ସେ କହିଛନ୍ତି। ଭିନ୍ନକ୍ଷମ ସରସ୍ବତୀ ଜେନା (୮୦) କହିଛନ୍ତି, ଶନିବାର ବିଶ୍ୱ ପାଳନ କରୁଛି ଭିନ୍ନକ୍ଷମ ଦିବସ। ଭିନ୍ନକ୍ଷମଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଯାଉଛି, ସେତେବେଳେ ପ୍ରଶାସନ ଘର ଭାଙ୍ଗି ଦେଇଛି। ଛୋଟିଆ ପଲା ମାରି ମୁଣ୍ଡ ଗୁଞ୍ଜୁ ଥିଲି। ଆଣ୍ଠେଇ ଆଣ୍ଠେଇ ବଡ଼ବାବୁଙ୍କୁ ନେହୁରା ହେଲି, ଗୋଡ ତଳେ ପଡ଼ିଲି, ମୋ ଦୁଃଖ କେହି ବୁଝିଲେ ନାହିଁ। କେମିତି ଚଳିବି ସେହି ଚିନ୍ତା ଏବେ ଘାରିଛି। ତେବେ ବାସ ହରାଇ ଥିବା ପରିବାର ହେଲେ ରମାକାନ୍ତ ତ୍ରିପାଠୀ, ମନ୍ମଥ କୁମାର ତ୍ରିପାଠୀ, ସୁଶାନ୍ତ କୁମାର ତ୍ରିପାଠୀ, ସୋମନାଥ ତ୍ରିପାଠୀ, ସୁଧାଂଶୁ ଭୁଷଣ ନନ୍ଦ, ସରସ୍ବତୀ ଜେନା, ଓମ୍‌ ପ୍ରକାଶ ଦାସ, ପ୍ରଶାନ୍ତ କୁମାର ଦାସ, ସୁମିତ୍ରା ଜେନା।