ପ୍ରଥମଦିନରେ ୯ଲକ୍ଷ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟକର୍ମୀ ନେଲେ କରୋନା ବୁଷ୍ଟର ଡୋଜ

ନୂଆଦିଲ୍ଲୀ,୧୧ ।୧: ଦେଶରେ ଗୋଟିଏ ପଟେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଅନ୍ୟପଟେ ସୋମବାର କୋଭିଡ ରୋଧି ଟିକାର ପ୍ରିକଶନ ଡୋଜ ବା ତୃତୀୟ ଡୋଜ ଟିକାକରଣ ଆରମ୍ଭ କରାଯାଇଛି । ପ୍ରଥମଦିନ ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯେଉଁମାନେ ପ୍ରଥମେ ବୁଷ୍ଟର ଡୋଜ ନେବା ଆବଶ୍ୟକ ଏମିତି ୯ ଲକ୍ଷରୁ ଅଧିକ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୮୨ଲକ୍ଷ ୭୬ ହଜାର ୧୫୮ ଡୋଜ ଟିକା ଦିଆସରିଛି । ଏହାସହ ଦେଶରେ ପ୍ରାୟ ୧୫୨.୭୮ କୋଟି ଡୋଜ ଟିକା ଦିଆଯାଇଛି । ଏଥିମଧ୍ୟରେ ୧୫-୧୮ ବର୍ଷ କିଶୋରଙ୍କୁ ୨୧ ଲକ୍ଷ ୪୯ ହଜାର ୨୦୦ ଡୋଜ ସାମିଲ ଅଛି । ସେହିପରି ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ୨ଲକ୍ଷ ୫୪ ହଜାର ୮୬୮, ସ୍ୱାସ୍ଥ୍ୟକର୍ମୀ ୪ଲକ୍ଷ ୯୧ ହଜାର ୧୩ ଓ ଫ୍ରଣ୍ଟ ଲାଇନ ୱାର୍କର୍ସଙ୍କୁ ୧ଲକ୍ଷ ୯୦ ହଜାର ୮୩୮ ବୁଷ୍ଟର ଡୋଜ ଦିଆଯାଇଛି ।
ରାଜଧାନୀ ଦିଲ୍ଲୀରେ ୬୨୧୨ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ମୋଟ ୧୮,୭୯୫ ଜଣଙ୍କୁ କୋଭିଡ ବୁଷ୍ଟର ଡୋଜ ଦିଆଯାଇଛି । ଏପଟେ କୋଭିଡ ଟିକାକରଣ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ କେନ୍ଦ୍ର କହିଛି କୋଭିଡ ଟିକାକରଣ କେନ୍ଦ୍ରର କୌଣସି ସମୟ ସୀମା ନାହିଁ । ଏହା ଲୋକଙ୍କ ଭିଡକୁ ଦେଖି କାମ କରିବ ଓ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ।

Share