Categories: ବାଣିଜ୍ୟ

ଏପ୍ରିଲ ୧ରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷ ଏପ୍ରିଲ ୧ରୁ ସାରା ଦେଶର ୯ ଲକ୍ଷ ସରକାରୀ ଗାଡ଼ି ରାସ୍ତା ଉପରୁ ହଟିବ ବୋଲି ସୂଚନା ମିଳିଛି। ଏପରିକି ୧୫ ବର୍ଷରୁ ଅଧିକ ସବୁ ବର୍ଗର ପୁରୁଣା ସରକାରୀ ଗାଡ଼ି ୨୦୨୩ ଏପ୍ରିଲ ୧ରୁ ଏକ ପ୍ରକାର ଚଳାଚଳ ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ୧୫ ବର୍ଷରୁ ପୁରୁଣା ପ୍ରାୟ ୯ ଲକ୍ଷ ଗାଡ଼ିକୁ ରାସ୍ତାରୁ ହଟାଯିବ। ଏହା ବଦଳରେ ନୂଆ ଗାଡ଼ି ଚାଲିବ ବୋଲି ସୋମବାର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏ ନେଇ ସୂଚନା ଦେଇଛନ୍ତି। ବିଶେଷକରି ଫିକି ଦ୍ବାରା ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଗଡକରୀ କହିଥିଲେ, ଆଗାମୀ ଦିନରେ ଇଥାନଲ୍‌, ମିଥାନଲ୍‌, ବାୟୋ-ସିଏନଜି, ବାୟୋ-ଏଲ୍‌ଏନ୍‌ଜି ଏବଂ ଇଲେକ୍ଟ୍ରିକ୍‌ ଗାଡ଼ିର ବ୍ୟବହାର ପାଇଁ ସରକାର ଅନେକ ସୁବିଧା କରୁଛନ୍ତି। ଏପରିକି ୧୫ ବର୍ଷରୁ ଅଧିକ ସବୁ ବର୍ଗର ପୁରୁଣା ଗାଡ଼ି ରାସ୍ତାରୁ ହଟିବ ଆଉ ରାସ୍ତାରେ ପରିବେଶ ଉପକୂଳ ଯାନ ଚାଲିବ। ବିଶେଷକରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଜଡ଼ିତ ୯ ଲକ୍ଷ ସରକାରୀ ଗାଡ଼ିର ସ୍କ୍ରାପିଂ କରିବାକୁ ସରକାର ଅନୁମତି ଦେଇଛନ୍ତି। ଫଳରେ ୧୫ବର୍ଷରୁ ଅଧିକ ପୁରୁଣା ବସ୍‌, କାର୍‌ ଓ ଅନ୍ୟ ପ୍ରଦୂଷଣ କରୁଥିବା ଗାଡ଼ି ମଧ୍ୟ ରାସ୍ତାରୁ ହଟିବ। ସେ ସବୁ ଗାଡି ବଦଳରେ ସରକାର ନୂଆ ଗାଡ଼ି ତଥା ବିକଳ୍ପ ଇନ୍ଧନରେ ପରିଚାଳିତ ଗାଡ଼ି ପ୍ରଚଳନ କରିବେ ବୋଲି କୁହାଯାଉଛି। ସେହିଭଳି ପ୍ରଦୂଷଣ ମୁକ୍ତ ପରିବେଶ କରିବା ପାଇଁ ସରକାର ଇଭି ଯାନକୁ ପ୍ରୋତ୍ସାହିତ କରୁଥିବା ବେଳେ ଏହା ବହୁମାତ୍ରାରେ ପ୍ରଦୂଷଣକୁ କମାଇବାରେ ମଧ୍ୟ ବେଶ୍‌ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ନିକଟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ୨୦୨୩ ଏପ୍ରିଲ ୧ଠାରୁ ପରିବହନ ନିଗମ ଏବଂ ସରକାରୀ କ୍ଷେତ୍ରର ମାଲିକାନାରେ ଥିବା ବସ୍‌ ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ସମସ୍ତ ଯାନ ଯାହାକି ୧୫ ବର୍ଷରୁ ଅଧିକ ପୁରୁଣା ତାହାକୁ ହଟାଯିବ। ତେବେ ଉକ୍ତ ନିୟମ ସ୍ବତନ୍ତ୍ର ସେବାରେ ବ୍ୟବହାର ହେଉଥିବା ଗାଡ଼ି ଉପରେ ଲାଗୁ ହେବ ନାହିଁ, ଯେପରିକି ପ୍ରତିରକ୍ଷା ଏବଂ ଆଇନଶୃଙ୍ଖଳା ସମେତ ଅନ୍ତରୀଣ ସୁରକ୍ଷା ପାଇଁ ବ୍ୟବହାର ହେଉଥିବା ଗାଡ଼ିରେ ଉକ୍ତ ନିୟମ ବର୍ତ୍ତମାନ ସମୟରେ ଲାଗୁ ହେବନାହିଁ। ଅପରପକ୍ଷରେ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ରାପେଜ୍‌ ପଲିସି-୨୦୨୧ର ଶୁଭାରମ୍ଭ କରିଥିଲେ। ଏପରିକି ୨୦୨୧-୨୨ ବଜେଟରେ ମଧ୍ୟ ଏ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବିଶେଷକରି ୨୦ବର୍ଷ ପାଇଁ ବ୍ୟକ୍ତିଗତ ଭାବେ ବ୍ୟବହୃତ ହେଉଥିବା ଗାଡ଼ି ଏବଂ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗାଡ଼ିକୁ ୧୫ ବର୍ଷରେ ଏହାର ଫିଟନେସ୍‌ ଟେଷ୍ଟ କରାଯିବ। ଏପରିକି ଉକ୍ତ ପଲିସି ଅନୁଯାୟୀ ପୁରୁଣା ଗାଡ଼ିକୁ ସ୍କ୍ରାପ୍‌ ପରେ କିଣୁଥିବା ନୂଆ ଗାଡ଼ି ଉପରେ ରାଜ୍ୟ ସରକାର ୨୫% ରୋଡ୍‌ ଟ୍ୟାକ୍ସ ଉପରେ ମଧ୍ୟ ଛାଡ଼ ଦେବେ ବୋଲି କୁହାଯାଇଥିଲା।

Share