ମାଲକାନଗିରି,୨୨ା୪(ଦୁର୍ଯ୍ୟୋଧନ ପାତ୍ର): ଆନ୍ଧ୍ରପ୍ରଦେଶ ଆଲୁରି ସୀତାରାମାରାଜୁ ଜିଲା ଛତିଶଗଡ଼ର ୬ ଓ ସୁକ୍ମା ପୋଲିସ ନିକଟରେ ୩ ମାଓବାଦୀ ସୋମବାର ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କୁ ଧରିବା ଲାଗି ସରକାରଙ୍କ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଥିଲା। ସେମାନେ ହେଲେ ଛତିଶଗଡ଼ ସୁକ୍ମା ଜିଲା ଗଗନପାଲ୍ଲୀ ଗ୍ରାମର ୫ ଲକ୍ଷ ପୁରସ୍କାର ଘୋଷିତ କୋହାରାମ ମିଥିଲେସ୍ ଓରଫ ରାଜା, ସୁନମପେଣ୍ଟା ଗ୍ରାମର ୪ ଲକ୍ଷ ପୁରସ୍କାର ଘୋଷିତ ବାର୍ସେ ମାସା, ରାମାରାମ ଗ୍ରାମର ୪ଲକ୍ଷ ପୁରସ୍କାର ଘୋଷିତ ବେଟି ଭୀମା, ପାଲମାଡୁଗୁ ଗ୍ରାମର ୪ ଲକ୍ଷ ପୁରସ୍କାର ଘୋଷିତ ବାଂଜାମ୍ ରାମେ ଓରଫ କମଲା, ସିଙ୍ଗାନାମାଡୁଗୁ ଗ୍ରାମର ୧ ଲକ୍ଷ ପୁରସ୍କାର ଘୋଷିତ ମଡକମ୍ ସୁକି, ଆଲମପାଲ୍ଲୀ ଗ୍ରାମର ଦୁଡି ସୋନୀ। ଏମାନେ ଛତିଶଗଡ଼ କିସ୍ତାରାମ ଏରିୟା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ଆନ୍ଧ୍ର ସୀତାରାମାରାଜୁ ଜିଲା ଏସ୍ପି ତୁହିନ ସିହ୍ନା ଓ ବିଶାଖାପାଟଣା ଡିଆଇଜି ବିଶାଲ ଗୁନିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ସେହିପରି ସୁକ୍ମା ପୋଲିସ ନିକଟରେ ୧ ଲକ୍ଷ ପୁରସ୍କାର ଘୋଷିତ ୨ ମାଓବାଦୀଙ୍କ ସହ ଅନ୍ୟଜଣେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଡିଏକେଏମ୍ଏସ୍ ଅଧ୍ୟକ୍ଷ କବାସୀ ହୁଙ୍ଗା, ତୁପୋ ଭୀମା ଓ କେଏଏମ୍ଏସ୍ ଅଧ୍ୟକ୍ଷା ହେମଲା ଶାନ୍ତି। ଏମାନେ ସୁକ୍ମା ଅତିରିକ୍ତ ଏସ୍ପି ମନୀଷ ରାତ୍ରେ, ୭୪ ବାଟାଲିୟନ ସିଆରପିଏଫ୍ ବାହିନୀ ସହାୟକ କମାଣ୍ଡର କୀରତ ସିଂ ବେପାରାୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।