ଆଜି ଭୁବନେଶ୍ୱରରେ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ଆଉ ୧୦

ଭୁବନେଶ୍ୱର,୨୭ା୬(ବ୍ୟୁରୋ) : ଶନିବାର ରାଜଧାନୀ ଭୁବନେଶ୍ୱରରେ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୮ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା ବେଳେ ଜଣେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।
ଆକ୍ରାନ୍ତମାନଙ୍କ ମଧ୍ୟରୁ ୪ ଜଣ ଶିରିପୁର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ସେମାନଙ୍କ ବୟସ ୩୦ ଏବଂ ୩୮।  ସେହିପରି ୧୮ ବର୍ଷୀୟ ଜଣେ ଯୁବକ ଏବଂ ୫୦ ବର୍ଷୀୟ ଜଣେ ବ୍ୟକ୍ତି ଅଛନ୍ତି। ଆର୍‌ବିଆଇ ଅଫିସ ନିକଟ ଏକ ବେସରକାରୀ ସଂସ୍ଥାର ଜଣେ ୫୨ ବର୍ଷୀୟ ସିକ୍ୟୁରିଟିଗାର୍ଡ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏକ ବେସରକାରୀ ହସ୍ପିଟାଲର ୩ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୩୮,୪୧ ଏବଂ ୪୨।
ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ଆଉ ୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥମାନଙ୍କ ମଧ୍ୟରେ ସତ୍ୟନଗରର ଜଣେ ୨୭ ବର୍ଷୀୟ ଯୁବକ, ଏୟାରପୋର୍ଟ ନିକଟ ଭୀମ୍‌ପୁରର ଜଣେ ୩୪ ବର୍ଷୀୟ ଯୁବକ ଏବଂ ୬୨ ବର୍ଷୀୟା ବୃଦ୍ଧା ସୁସ୍ଥ ହୋଇଛନ୍ତି। ସାଲିଆସାହିରୁ ଜଣେ ୧୯ ବର୍ଷୀୟ ଯୁବକ ସୁସ୍ଥ ହୋଇଥିବା ବେଳେ ୪ ଜଣ ରେଳ କର୍ମଚାରୀ ସୁସ୍ଥ ହୋଇଛନ୍ତି। ସେହିପରି ଡୁମ୍‌ଡୁମାର ଏଚ୍‌ବି କଲୋନୀର ଜଣେ ୪୫ ବର୍ଷୀୟା ମହିଳା ଏବଂ ୧୦ ବର୍ଷର ନାବାଳକ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୨୮୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୪୮ ଜଣ ସୁସ୍ଥ ହୋଇଛନ୍ତି। ୧୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।

 

Share