ନୂଆଦିଲ୍ଲୀ,୧୧ା୧: ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ୯ ଜଣଙ୍କ ନାଁ ସୁପାରିସ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣ ନ୍ୟାୟିକ ଅଧିକାରୀ ଥିବାବେଳେ ୨ ଜଣ ଆଇନଜୀବୀ। ନ୍ୟାୟିକ ଅଧିକାରୀ ରାମଚନ୍ଦ୍ର ଦତ୍ତାତ୍ରେୟ ହୁଦ୍ଦାର ଏବଂ ଭେଙ୍କଟେଶ ନାଏକ ଥାବର଼୍ୟାନାଏକଙ୍କୁ କର୍ନାଟକ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ପ୍ରସ୍ତାବକୁ ମଙ୍ଗଳବାର କଲେଜିୟମ ବୈଠକରେ ଅନୁମୋଦନ କରାଯାଇଛି। ଏହା ବ୍ୟତୀତ ଆଇନଜୀବୀ ନଗେନ୍ଦ୍ର ରାମଚନ୍ଦ୍ର ନାଏକଙ୍କୁ କର୍ନାଟକ ହାଇକୋର୍ଟ ବିଚାରପତି ଭାବେ ପୂର୍ବ ସୁପାରିସର ପୁନର୍ବିଚାର ଲାଗି କଲେଜିୟମ ସୁପାରିସ କରିଛନ୍ତି। ଆଇନଜୀବୀ ନୀଳ କେଦାର ଗୋଖଲେଙ୍କୁ ବମ୍ବେ ହାଇକୋର୍ଟ ଏବଂ ଜୁଡ଼ିସିଆଲ ଅଫିସର ମୃଦୁଳ କୁମାର କାଲିତାଙ୍କୁ ଗୁଆହାଟୀ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ କରାଯାଇଛି। ସେହିପରି ନ୍ୟାୟିକ ଅଫିସର ପି. ଭେଙ୍କଟ ଜ୍ୟୋତିର୍ମୟୀ ଏବଂ ଭି. ଗୋପାଳକୃଷ୍ଣ ରାଓଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏବଂ ଜୁଡ଼ିସିଆଲ ଅଫିସର ଅରିବମ ଗୁଣେଶ୍ୱର ଶର୍ମା ଓ ଗୋଲମେଇ ଗୈଫୁଲଶିଲ୍ଲୁ କାବୁଇଙ୍କୁ ମଣିପୁର ହାଇକୋର୍ଟ ବିଚାରପତି ପ୍ରସ୍ତାବକୁ କଲେଜିୟମ ଅନୁମୋଦନ କରିଛି।