କଏଦୀଙ୍କୁ ୯୦ ଦିନିଆ ପାରୋଲ୍‌: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ଜେଲ୍‌ରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବହୁ କଏଦୀ ଆକ୍ରାନ୍ତ ହେବା ସହିତ କେତେକଙ୍କର ଜୀବନ ମଧ୍ୟ କରୋନାରେ ଗଲାଣି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଗତବର୍ଷ ନିୟମ ପାଳନ କରିବା ଲାଗି ସମସ୍ତ ଜେଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ୭ ବର୍ଷରୁ କମ୍‌ ଜେଲ୍‌ଦଣ୍ଡ ମିଳିବାକୁ ଥିବା ଅପରାଧ କ୍ଷେତ୍ରରେ ଜରୁରୀ ନ ଥିଲେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଜେଲ୍‌ରେ ରହୁଥିବା କଏଦୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯେପରି ମିଳେ, ତାହା ସୁନିଶ୍ଚିତ କରିବା ଲାଗି ସର୍ବୋଚ୍ଚ ଅଦାଲତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରି ସଂକ୍ରମଣ ବିପଦ ଥିବା ବନ୍ଦୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ତୁରନ୍ତ ପାରୋଲରେ ଛାଡ଼ିଦେବା ଲାଗି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଗତବର୍ଷ ଯେଉଁ କଏଦୀମାନଙ୍କୁ ପାରୋଲରେ ଛଡ଼ା ଯାଇଥିଲା, ଚଳିତ ବର୍ଷ ସେମାନଙ୍କୁ ୯୦ ଦିନିଆ ଛୁଟି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହା ଦ୍ୱାରା ଜେଲ୍‌ରେ ଭିଡ଼ କମିବା ସହିତ କରୋନା ସଂକ୍ରମଣ ଆଶଙ୍କା ଅନେକାଂଶରେ ହ୍ରାସ ପାଇବାର ସମ୍ଭାବନା ରହିବ ବୋଲି କୋର୍ଟ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଏବଂ ବିଚାରପତି ଏଲ୍‌. ନାଗେଶ୍ୱର ରାଓ ଏବଂ ସୂର୍ଯ୍ୟକାନ୍ତଙ୍କ ନେତୃତରେ ଗଠିତ ଖଣ୍ଡପୀଠ ପକ୍ଷରୁ ଜେଲ୍‌ ଗୁଡ଼ିକର ସ୍ଥିତି ସମୀକ୍ଷା କରାଯିବା ପରେ ୧୪ ପୃଷ୍ଠା ସମ୍ବଳିତ ନିର୍ଦ୍ଦେଶ ଶନିବାର ଜାରି କରାଯାଇଛି।

Share