Categories: ଜାତୀୟ

୧୧ ରାଜ୍ୟର ୯୦ ଜିଲା ମାଓବାଦୀ ପ୍ରବଣ, ସାଇବର ଅପରାଧ ଟପିଛି ୮୨ ହଜାର

ନୂଆଦିଲ୍ଲୀ, ୨୧।୯: ଦେଶର ୧୧ଟି ରାଜ୍ୟର ୯୦ ଜିଲା ମାଓବାଦୀ ପ୍ରବଣ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ ସୋମବାର ସୂଚନା ଦେଇଛନ୍ତି। ୨୦୧୯ରେ ୬୧ ଜିଲା ମାଓବାଦୀ ପ୍ରବଣ ଥିଲା ବୋଲି ଏମ୍‌ପି ରାକେଶ ସିହ୍ନାଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି। ୨୦୨୦ ଅଗଷ୍ଟ ୧୫ ସୁଦ୍ଧା ସର୍ଚ୍ଚ ଅପରେଶନ୍‌ ସମୟରେ ୩୪ ଜଣ ସୁରକ୍ଷାକର୍ମୀ ଶହୀଦ୍‌ ହୋଇଛନ୍ତି। ସେହିପରି ଏହି ସମୟରେ ୬୮ ସାଧାରଣ ଲୋକ ଏବଂ ୫୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ୨୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସେ ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କିଶନ ରେଡ୍ଡୀ କହିଛନ୍ତି ଯେ, ଦେଶରେ ୨୦୧୪ରୁ ୨୦୧୮ ଗତ ୪ ବର୍ଷ ମଧ୍ୟରେ ସାଇବର ଅପରାଧ ସଂଖ୍ୟା ୮୨ ହଜାର ୫୭୫ ଛୁଇଁଛି। ୨୦୧୮ରେ ସର୍ବାଧିକ ୨୭ ହଜାର ୨୪୮ ସାଇବର ଅପରାଧ ଘଟିଥିଲା। ସେହିପରି ୨୦୧୭ରେ ୨୧ ହଜାର ୭୯୬ ଏବଂ ୨୦୧୬ରେ ୧୨ ହଜାର ୩୧୭ ସାଇବର ଅପରାଧ ଘଟିଥିବା ସେ ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୬ ହଜାର ୨୮୦ ଅପରାଧ ଘଟିଥିବାବେଳେ କର୍ନାଟକରେ ୫ ହଜାର ୮୩୯ ସାଇବର ଅପରାଧ ଘଟିଥିବା ମନ୍ତ୍ରୀ କହିଛନ୍ତି।

Share