ଅଗଷ୍ଟଠାରୁ ପ୍ରତିମାସରେ ଦିଆଯିବ ୯୦ ଲକ୍ଷ ଡୋଜ୍‌…

ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଟିକାର ଅଭାବ ଯୋଗୁ କେତେକ ଅଞ୍ଚଳରେ ଏହି ଅଭିଯାନ ପଛେଇ ଯାଉଛି। ତେବେ ଅଗଷ୍ଟଠାରୁ ପ୍ରତିମାସରେ ୮୦ରୁ ୯୦ ଲକ୍ଷ ଡୋଜ୍‌ ପ୍ରଦାନ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଦେଶରେ ଜୁଲାଇ ମାସ ଶେଷ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମୋଟ ୧୨ କୋଟି ଡୋଜ୍‌ ଯୋଗାଇ ଦିଆଯିବ। ଆଗାମୀ ଦିନରେ ଦେଶରେ ସ୍ପୁଟନିକ୍‌-ଭି, ଜାଡ଼ିୟସ୍‌ କାଡ଼ିଲାର ଜାୟକୋଭ୍‌-ଡି ଏବଂ ବାୟୋଲୋଜିକାଲ-ଇ ଭାକ୍ସିନ୍‌ ଉପଲବ୍ଧ ହେବା ଦ୍ୱାରା ଦେଶରେ ଦେଖାଦେଇଥିବା ଟିକା ଅଭାବର ସମାଧାନ ସମ୍ଭବ ହୋଇ ପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସ୍ପୁଟନିକ୍‌-ଭିର ଉତ୍ପାଦନ ଦେଶରେ ଆରମ୍ଭ ହେବ। କାଡ଼ିଲା ପ୍ରତିମାସରେ ୧ରୁ ୨କୋଟି ଭାକ୍ସିନ୍‌ ପ୍ରସ୍ତୁତ କରିବାକୁ ସକ୍ଷମ। ସେହିପରି ବାୟୋଲୋଜିକାଲ-ଇ ମାସ ପିଛା ୪ରୁ ୫ କୋଟି ଡୋଜ୍‌ ଉତ୍ପାଦନ କରିବ। ଜୁଲାଇ ଶେଷ ସୁଦ୍ଧା ଦେଶର ୫୦ କୋଟି ଲୋକଙ୍କୁ ଟିକା ଦାନ କରାଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share