Categories: ଜାତୀୟ

ବିଦେଶରେ ମେଡିକାଲ ପଢ଼ୁଥିବା ୯୦ପ୍ରତିଶତ ଛାତ୍ର ଭାରତରେ କ୍ୱାଲିଫାଏ କରିବାରେ ଅସମର୍ଥ: କେନ୍ଦ୍ରମନ୍ତ୍ରୀ

ବେଙ୍ଗାଲୁରୁ,୨।୩: ୟୁକ୍ରେନ ଓ ରୁଷିଆ ଯୁଦ୍ଧରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଅପରେଶନ ଗଙ୍ଗା ଅନ୍ତର୍ଗତ ଅଭିଯାନକୁ ଜୋରଦାର କରିଛନ୍ତି। ୟୁକ୍ରେନରେ ଲଗାତର ଯୁଦ୍ଧ ଚାଲିଥିବା ବେଳେ ମଙ୍ଗଳବାର ଖାର୍କ୍ୱିଭ ସହରରେ ରୁଷିଆ ସୈନ୍ୟଙ୍କ ଗୁଳିରେ ଜଣେ ଭାରତୀୟ ଛାତ୍ରଙ୍କ ମୁତ୍ୟୁ ହୋଇଛି। ଇତିମଧ୍ୟରେ ଭାରତର କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ବିଦେଶରେ ଡାକ୍ତରୀ ଅଧ୍ୟୟନ ପାଇଁ ଯାଉଥିବା ୯୦ ପ୍ରତିଶତ ଭାରତୀୟ ଛାତ୍ର ଯୋଗ୍ୟତା ଅର୍ଜନ କରିବାରେ ସକ୍ଷମ ନୁହଁନ୍ତି ବୋଲି ଯୋଶୀ ଦାବି କରିଛନ୍ତି। ଦେଶର ଲୋକମାନେ ଅଧ୍ୟୟନ ପାଇଁ ଦେଶକୁ ଯିବାର କାରଣ ବିଷୟରେ ଆଲୋଚନା କରିବା ଏହା ଠିକ୍‌ ସମୟ ନୁହେଁ ବୋଲି ସେ କହିଛନ୍ତି। ତେବେ ଯେଉଁମାନେ ବିଦେଶରେ ଅଧ୍ୟୟନ କରି ଡାକ୍ତରୀ ଡିଗ୍ରୀ ହାସଲ କରନ୍ତି, ସେମାନଙ୍କୁ ବୈଦେଶିକ ମେଡିକାଲ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ। ଏହାପରେ ସେମାନେ ଭାରତରେ ଚିକିତ୍ସା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଯୋଶୀଙ୍କ ବିବୃତ୍ତି ଏଭଳି ଏକ ସମୟରେ ଆସିଛି ଯେତେବେଳେ ୟୁକ୍ରେନରେ ହଜାର ହଜାର ଭାରତୀୟ ଛାତ୍ର ଫସି ରହିଛନ୍ତି ଏବଂ ସରକାର ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ଏହି ବୟାନ ଯୋଗୁ ଯୋଶୀ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

Share