ପରୀକ୍ଷା ଦେବା ପାଇଁ ୬ କିଲୋମିଟର ଚାଲିଲେ ୯୦ ଛାତ୍ରୀ

ମୋରଡା,୧୨।୧୨(ସ୍ମାରକ ମାଜୀ): ପରୀକ୍ଷା ଦେବା ପାଇଁ ୬କିଲୋମିଟର ଚାଲିଲେ ୯୦ ଜଣ ଛାତ୍ରୀ । ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୬କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କଲେ ପ୍ରଧାନ ଶିକ୍ଷୟିତ୍ରୀ ।

ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତ ଭାଲିଆଡିହା କେଜିବିଭି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ଏବଂ ଆଦିବାସୀ ହରିଜନ ଆବାସିକ ବିଦ୍ୟାଳୟର ୪ର୍ଥ, ୫ମ ଶ୍ରେଣୀର ଛାତ୍ରୀ ଅର୍ଥାତ ମୋଟ ୯୦ଜଣ ରାସ୍ତାରେ ଚାଲି ଚାଲି ଯାଇ ପରୀକ୍ଷା ଦେଇଛନ୍ତି। ଏହି ଦୃଶ୍ୟ ଦେଖି ସାଧାରଣ ଜନତା ଆଚମ୍ବିତ ହୋଇ ଯାଇଛନ୍ତି ।
କାରଣ ପଚାରିବାରୁ ଜଣାପଡିଲା ଯେ, ଛାତ୍ରୀମାନେ ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ବାରମାଇଲସ୍ଥିତ ଉପେନ୍ଦ୍ର ନାଥ ଘୋଷ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୬ କିଲୋମିଟର ଚାଲି ଚାଲି ଯାଇଥିଲେ। ଯାହାକୁ ନେଇ ଅଭିଭାବକ ଏବଂ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ଦୃଢ ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ବିଗତ ୧୧ବର୍ଷଧରି ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ତୁଲାଇ ଆସୁଛନ୍ତି l ବିଦ୍ୟାଳୟ ଏସଆଇଜି ଗ୍ରାଣ୍ଟରେ ଟଙ୍କା ଥାଇ କୁନି କୁନି ଛାତ୍ରୀମାନଙ୍କୁ ରାସ୍ତାରେ ଚଲାଇବା ଘଟଣାର ଦୃଢ ନିନ୍ଦା କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ତେବେ ଘଟଣା ସମ୍ପର୍କରେ ଆମେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନାଙ୍କୁ ପଚାରିବାରୁ ଛାତ୍ରୀ ମାନଙ୍କୁ ଗାଡିରେ ନେବା ପାଇଁ କୌଣସି ଅନୁଦାନ ନ ଥିବାରୁ ବିଲ ରାସ୍ତାରେ ଚଲାଇ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେଇଥିବାର ପ୍ରକାଶ କରିଛନ୍ତି। ତେବେ ଉକ୍ତ ଘଟଣା ସମ୍ପର୍କରେ ବିଇଓ ଦୃଷ୍ଟି ଦେଇ ଘଟଣାର ତଦନ୍ତ କରିବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି ।

 

Share