ବାଇକ୍‌ ରଖି ଚା’ ପିଉଥିଲେ କଣ୍ଟ୍ରାକ୍ଟର: ଡିକି ଭାଙ୍ଗି ୯୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ଝାରସୁଗୁଡା ଅଫିସ, ୧୫।୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଜୋବ ନିକଟସ୍ଥ ସୀତାରା ଛକରୁ ମଙ୍ଗଳବାର ଦୁର୍ବୃତ୍ତମାନେ ଏକ ବାଇକ ଡିକି ଭାଙ୍ଗି ୯୦ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟକ୍ତି କାଳୀନଗର କଲୋନୀର ନସିମ ଅହମ୍ମଦ। ସେ ଏନେଇ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି କ୍ୟାମେରାକୁ ନେଇ ତଦନ୍ତ ଚଳାଇଛି।

ଅହମ୍ମଦ ଜଣେ କଣ୍ଟ୍ରାକ୍ଟର।ସେ ଲମଟିବାହାଲ ସ୍ଥିତ ପଞାବ ନ୍ୟାସନାଲ ବ୍ୟାଙ୍କରୁ ୧ଲକ୍ଷ ଟଙ୍କା ଉଠାଇଥିଲେ । ତା’ପରେ ଉଠାଣ ଟଙ୍କା ମଧ୍ୟରୁ ୧୦ହଜାର ଟଙ୍କା କଣ୍ଟ୍ରାକ୍ଟର ଜଣଙ୍କ ପକେଟରେ ରଖିଥିଲେ ବାକି ୯୦ ହଜାର ଟଙ୍କା ବାଇକ ଡିକିରେ ରଖି ଏକ ଜେରେକ୍ସ ଦୋକାନରେ ଜେରେକ୍ସ କରିଥିଲେ। ଏଥି ମଧ୍ୟରେ ଦୁର୍ବୃତ୍ତମାନେ ତାଙ୍କ ପିଛା କରିଥିଲେ। କଣ୍ଟ୍ରାକ୍ଟରଜଣଙ୍କ ସେଠାରୁ ବାଇକ ଧରି କୋଇଲା ଖଣି ଅଞ୍ଚଳକୁ ଯାଉଥିବା ବେଳେ ଜୋବ ନିକଟ ସୀତାରା ଛକରେ ଅଟକି କରି ବାଇକ ରଖି ଚା’ ପିଉଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ପୁଣି ପିଛା କରି ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ନିଜେ କଣ୍ଟ୍ରାକ୍ଟର ଦେଖି ସେମାନଙ୍କୁ ଗୋଡାଇଥିଲେ। ହେଲେ ଦୁର୍ବୃତ୍ତମାନେ ବାଇକରେ ଫେରାର ହୋଇଯାଇଥିଲେ। ଲୁଟ୍‌ ବେଳେ ଗୋଟିଏ ବାଇକରେ ୨ଜଣ ଦୁର୍ବୃତ୍ତ ରହିଥିଲେ ବୋଲି କଣ୍ଟ୍ରାକ୍ଟର ଜଣଙ୍କ ପୋଲିସ ନିକଟରେ କହିଛନ୍ତି। ପୋଲିସ ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ, ଅଞ୍ଚଳ ଆଖପାଖରେ ମଧ୍ୟ କେତେକ ଯୁବକ ବୁଲାବୁଲି କରି ଘଟଣା ଉପରେ ନଜର ରଖିଥିଲେ।

Share