ଆଇଆଇଆଇଟି ଛାତ୍ରୀଛାତ୍ରଙ୍କୁ ୯୧% ପ୍ରତିଶତ ନିଯୁକ୍ତି

ଭୁବନେଶ୍ୱର,୬ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଇନଫରମେଶନ ଟେକ୍ନୋଲୋଜି(ଆଇଆଇଆଇଟି) ଭୁବନେଶ୍ୱର ୨୦୦୬ରେ ସ୍ଥାପନ କରାଯାଇଥିଲା। ଏହି ଅନୁଷ୍ଠାନରୁ ୨୦୧୯-୨୦ରେ ପାସ କରିଥିବା ୯୧ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ମିଳି ପାରିଛି। ଗତ ୫ ବର୍ଷ ମଧ୍ୟରେ ଏହି ଅନୁଷ୍ଠାନ ୯୦ରୁ ୯୫ ପ୍ରତିଶତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇ ପାରିଛି । ବୁଧବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ଅଫ ଗଭର୍ନରସ ବୈଠକରେ ଏହି ସୂଚନା ଦିଆଯାଇଛି। ଏହି ବୈଠକରେ ଦେଶର ବିଭିନ୍ନ ପ୍ରାନ୍ତରୁ ଡିଜିଟାଲ ମୋଡରେ ଇଣ୍ଡିପେଡେଣ୍ଟ ଡାଇରେକ୍ଟରମାନେ ସାମିଲ ହୋଇଥିଲେ। ଉକ୍ତ ଅନୁଷ୍ଠାନରେ ଗବେଷଣା ଏବଂ ବର୍ତ୍ତମାନର ସମୟ ସହ ତାଳ ଦେଉଥିବା ବିଭିନ୍ନ ସ୍ବତନ୍ତ୍ର ବିଷୟ ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେଯୋଗ ଦେଇ ଆଇଆଇଆଇଟି ନିର୍ଦ୍ଦେଶକ ଗୋପାଳ ନାୟକ କହିଛନ୍ତି ଏହି ଅନୁଷ୍ଠାନ ବିଭିନ୍ନ ନୁୂତନ ଚିନ୍ତାଧାରାର ବୈଷୟିକ ଶିକ୍ଷାକୁ ଗୁରତ୍ୱ ଦେଇ ସେଲଫ ଲର୍ଣ୍ଣିଂ, ସେଲ୍‌ଫ ଡେଭେଲପମେଣ୍ଟ କୋର୍ସ ଏବଂ କୋଡିଂ କମ୍ପିଟିଶନ ବିଷୟକୁ ସଫଳତାର ସହ କାର୍ଯ୍ୟକାରୀ କରି ଆସୁଛି। ଛାତ୍ରୀଛାତ୍ରମାନେ ନିଜ ପସନ୍ଦ ଅନୁଯାୟୀ ବିଷୟ ନେଇ ଶିକ୍ଷା ଗ୍ରହଣ କରୁଛନ୍ତି। ଏହି ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ଗୁଗଲ ଅନଲାଇନ ମାର୍କେଟିଂ ଚ୍ୟାଲେଞ୍ଜରେ ଉଚ୍ଚ ର଼୍ୟାଙ୍କରେ ରହିବାରେ ସଫଳ ହୋଇଛନ୍ତି ବୋଲି ନିର୍ଦ୍ଦେଶକ କହିଛନ୍ତି।

Share