ପାଇଥିବା ୯୧ ମୋବାଇଲ ଫୋନ୍‌ ବିକି ୨ ଗିରଫ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବସ୍‌ରୁ ଖସି ପଡିଥିଲା ମୋବାଇଲ୍‌ ଭର୍ତ୍ତି ପେଟି। ରାସ୍ତାରୁ ପାଇ ୯୧ ଦାମୀ ମୋବାଇଲ୍‌ ଫୋନ୍‌କୁ ବିକି ଦେଇଥିଲେ ୨ଜଣ ବନ୍ଧୁ। ଶେଷରେ ଲୋଭ ହେଲା କାଳ। ଦେଢ଼ବର୍ଷ ପରେ ଶହୀଦନଗର ଥାନା ପୋଲିସ ଉଭୟଙ୍କୁ ସୋମବାର ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଖମାର ଅଞ୍ଚଳର ଲିପୁନ ସାହୁ ଓ ସଞ୍ଜୟ ଗଡ଼ନାୟକ। ପୋଲିସ ଉଭୟଙ୍କୁ ମାମଲା(ନଂ. ୪୧୪/୧୯)ରେ ଗିରଫ ପରେ କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଖାରବେଳନଗର ଥାନା ଅଞ୍ଚଳର ଏକ କୋରିଅର ସଂସ୍ଥାର ମାଲିକ ଆଶୁତୋଷ ଦାସ ଗତବର୍ଷ ଶହୀଦନଗରରୁ ଏକ ବସ୍‌ ଯୋଗେ ରାଉରକେଲାକୁ ୩ଟି ପେଟିରେ ମୋବାଇଲ୍‌ ଫୋନ ପଠାଇଥିଲେ। ପ୍ରତି ପେଟିରେ ୯୧ଟି ଫୋନ ରହିଥିଲା। ତେବେ ବସ୍‌ଟି ରାଉରକେଲାରେ ପହଞ୍ଚତ୍ବା ପରେ ଗୋଟିଏ ପେଟି ନ ଥିଲା। ଉକ୍ତବର୍ଷ ସେପ୍ଟେମ୍ବର ୬ରେ ଆଶୁତୋଷ ଏନେଇ ଶହୀଦନଗର ଥାନାରେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ନାଁରେ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲେ ମଧ୍ୟ ସେମାନେ ଚୋରି କରି ନ ଥିବା ଜାଣିବା ପରେ ଛାଡ଼ି ଦେଇଥିଲା। ତେବେ ପୋଲିସ ତଦନ୍ତ ଜାରି ରଖିବା ସହ ସେସବୁ ଫୋନ୍‌କୁ ଟ୍ରାକ୍‌ କରିଥିଲା। ଘଟଣାର କିଛି ମାସ ପରେ ଫୋନ୍‌ଗୁଡ଼ିକ ରାଜ୍ୟର ବିଭିନ୍ନ ଜିଲାରେ ବ୍ୟବହାର ହେଉଥିବା ଜଣାପଡିବା ପରେ ଏସ୍‌ଆଇ ଚିତ୍ତରଞ୍ଜନ ରାଉତଙ୍କ ନେତୃତ୍ୱରେ ଏକ ଟିମ୍‌ ୮ଦିନ ଧରି ଅନୁଗୋଳ, ପୁରୀ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର ଜିଲାରେ ଚଢ଼ାଉ କରି ୮୧ଜଣଙ୍କ ନିକଟରୁ ୮୧ ଫୋନ୍‌ ଜବତ କରିଥିଲା। ପଚରାଉଚରାବେଳେ ଲିପୁନ ଓ ସଞ୍ଜୟଙ୍କଠାରୁ ମୋବାଇଲ୍‌ ଫୋନ୍‌ କିଣିଥିବା ସେମାନେ କହିଥିଲେ। ଏମାନେ ଅନୁଗୋଳର ଏକ କନଷ୍ଟ୍ରକ୍ସନ କମ୍ପାନୀରେ କାର୍ଯ୍ୟ କରନ୍ତି। ପୋଲିସ ଉଭୟଙ୍କୁ ଉଠାଇ ଆଣି ପଚରାଉଚରା କରିବାରୁ ସେମାନେ କହିଛନ୍ତି, ଅଫିସ୍‌ ସାରି ରାତିରେ ଘରକୁ ଫେରୁଥିବା ସମୟରେ ଭୁବନେଶ୍ୱର-ରାଉରକେଲା ଜାତୀୟ ରାଜପଥର ଖମାର ନିକଟ ରାସ୍ତା ମଝିରୁ ଏକ ପେଟି ପାଇଥିଲେ। ପେଟି ଖୋଲିବାରୁ ସେଥିରେ ମୋବାଇଲ୍‌ ଫୋନ ଭର୍ତ୍ତି ହୋଇଥିବା ଦେଖିତ୍ଥିଲେ। ଲୋଭରେ ପଡ଼ି ସବୁ ମୋବାଇଲ୍‌ ଘରକୁ ଆଣି ପରବର୍ତ୍ତୀ ସମୟରେ ଅଫିସ୍‌ କର୍ମଚାରୀ, ବନ୍ଧୁବାନ୍ଧବ ଓ ଚିହ୍ନା ପରିଚୟଙ୍କୁ ୨,୫୦୦ ରୁ ୩,୦୦୦ ଟଙ୍କା ମଧ୍ୟରେ ବିକ୍ରି କରିଥିଲେ।

Share