Categories: ଜାତୀୟ

ନଜରରେ ୧୧ ଦଳର ୯୧ ଏମ୍‌ପି

ନୂଆଦିଲ୍ଲୀ,୨୦ା୭: ୬୫ଟି ଦଳ ଭାଜପା କିମ୍ବା କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟରେ ଯୋଗଦେଇଥିବାବେଳେ ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନିରପେକ୍ଷ ରହିବା ପାଇଁ ଅନୂ୍ୟନ ୧୧ ଦଳ ନିଷ୍ପତ୍ତି ନେଇଛନ୍ତି। ଏହି ଦଳଗୁଡ଼ିକର ୯୧ ଜଣ ସାଂସଦ ଅଛନ୍ତି।

ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ୩୯ ଦଳ ଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆରେ ୨୬ ବିରୋଧୀ ଦଳ ରହିଛନ୍ତି। ୩ ରାଜ୍ୟର ଶାସକ ଦଳ ବିଜେଡି (ଓଡ଼ିଶା), ବିଆର୍‌ଏସ୍‌ (ତେଲଙ୍ଗାନା) ଏବଂ ଓ୍ବାଇଏସ୍‌ଆର୍‌ସିପି (ଆନ୍ଧ୍ରପ୍ରଦେଶ)ର ମୋଟ ୬୩ ଲୋକ ସଭା ସଦସ୍ୟ ରହିଛନ୍ତି। ଏହି ଦଳଗୁଡ଼ିକୁ ଉଭୟ ଶାସକ ଏନ୍‌ଡିଏ ଏବଂ ବିରୋଧୀ ଇଣ୍ଡିଆ ନିଜ ସପକ୍ଷକୁ ନେବାକୁ ଚାହିଁବେ। ଏହି ୩ କ୍ଷମତାସୀନ ଦଳ ବ୍ୟତୀତ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି), ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଏଆଇଏମ୍‌ଆଇଏମ୍‌, ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି), ଶିରୋମଣି ଅକାଳୀ ଦଳ (ଏସ୍‌ଏଡି), ଅଲ୍‌ ଇଣ୍ଡିଆ ୟୁନାଇଡେଟ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇଡିୟୁଏଫ୍‌), ଜନତା ଦଳ (ଧର୍ମନିରପେକ୍ଷ), ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆର୍‌ଏଲ୍‌ପି) ଏବଂ ଏସ୍‌ଏଡି (ମାନ୍‌) ମଧ୍ୟ କୌଣସି ମେଣ୍ଟ ଆଡ଼କୁ ଢଳି ନାହାନ୍ତି। ୨୦୧୯ରେ ଆନ୍ଧ୍ରରେ କ୍ଷମତାସୀନ ହୋଇଥିବା ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ଏବଂ ୨୦୦୦ରୁ ସରକାର ଚଳାଉଥିବା ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ବିଭିନ୍ନ ପ୍ରସଙ୍ଗରେ ଭାଜପା ନେତୃତ୍ୱାଧୀନ ସରକାର ସପକ୍ଷରେ ଭୋଟ ଦେଇଆସିଛନ୍ତି।

ଅନ୍ୟପକ୍ଷେ ୨୦୧୪ରେ ତେଲଙ୍ଗାନା ରାଜ୍ୟ ଗଠନ ହେବା ପରଠୁ କ୍ଷମତାରେ ଥିବା କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ନୂଆ ବିରୋଧୀ ମେଣ୍ଟ ଗଢ଼ିବାକୁ ଉଦ୍ୟମ କରିଥିବାବେଳେ ଇଣ୍ଡିଆରେ ସାମିଲ ହୋଇନାହିଁ। ଲୋକ ସଭାରେ ୯ ସଦସ୍ୟ ଥିବା ବିଏସ୍‌ପି ବିରୋଧୀ ମେଣ୍ଟରେ ସାମିଲ ହୋଇନାହିଁ। ଉତ୍ତର ପ୍ରଦେଶକୁ ୪ ଥର ଶାସନ କରିଥିବା ମାୟାବତୀଙ୍କ ଦଳ ଏକାକୀ ଲୋକ ସଭା ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛି। ଏଆଇଏମ୍‌ଆଇଏମ୍‌ ମଧ୍ୟ ବିରୋଧୀ ମେଣ୍ଟରେ ସାମିଲ ହୋଇ ନାହିଁ। ଏହାକୁ ଏକପ୍ରକାର ‘ରାଜନୈତିକ ଅସ୍ପୃଶ୍ୟ’ ବିବେଚନା କରାଯାଉଛି।

Share