୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଉଛି ଡ୍ରଗ୍ସ ପାଇଁ: ପ୍ରତି ୨ ଜଣରେ ଜଣେ ହେଉଛନ୍ତି ହେପାଟାଇଟିସ ସି ସଂକ୍ରମିତ,ଯୌନ ସମ୍ପର୍କ ମୁଖ୍ୟ ମାଧ୍ୟମ…

ନୂଆଦିଲ୍ଲୀ,୧୪।୧୨ : ଦେଶରେ ଡ୍ରଗ୍ସ ପାଇଁ ୯୧ ପ୍ରତିଶତ ଇଞ୍ଜେକ୍ସନ ବ୍ୟବହୃତ ହେଇଛି। ଯେଉଁ କାରଣରୁ ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ବ୍ୟକ୍ତି ହେପାଟାଇଟିସ ସି ଦ୍ୱାରା ସଂକ୍ରମିତ ହେଉଛନ୍ତି। ହେପାଟାଇଟିସ ସି ସଂକ୍ରମଣର ଘଟଣା ଏଚ.ଆଇ.ଭି ତୁଳନାରେ ଅନେକ ଗୁଣା ବୃଦ୍ଧି ପାଇବାରେ ଲାଗିଛି। ଡ୍ରଗ୍ସ ନେଉ ଥିବା ବ୍ୟକ୍ତି ପରୀକ୍ଷା କରନ୍ତି ନାହିଁ କିମ୍ବା ଠିକ ସମୟରେ ଚିକିତ୍ସା ପାଆନ୍ତି ନାହିଁ। ଫଳରେ ଡ୍ରଗ୍ସ ଯୋଗୁ ସମାଜ ବଡ଼ ବିପଦର ସମ୍ମୁଖୀନ ହୋଇଥାଏ।

ଦିଲ୍ଲୀ ଏମ୍ସ ଏବଂ ବାଙ୍ଗାଲୋର ସ୍ଥିତ ନିମହାନ୍ସ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଚିକିତ୍ସା ନ କରିବାରୁ ହେପାଟାଇଟିସ ସି ସଂକ୍ରମଣ ଦୀର୍ଘ ସମୟ ଧରି ରହିଥାଏ। ଏଭଳି ଲୋକମାନେ ଯୌନ ସମ୍ପର୍କ ମାଧ୍ୟମରେ ଏହାକୁ ଅନ୍ୟମାନଙ୍କୁ ସଂକ୍ରମିତ କରିଥାନ୍ତି କେବଳ ଏତିକି ନୁହେଁ, ହେପାଟାଇଟିସ ସି ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଜାତୀୟ ସ୍ତରରେ ଏକ କାର୍ଯ୍ୟକ୍ରମ ଚାଲିଛି। ଏହି ସଂକ୍ରମଣ ବୃଦ୍ଧଙ୍କ ଠାରୁ ଆରମ୍ଭ କରି ଯୁବବର୍ଗମାନଙ୍କ ମଧ୍ୟରେ ବ୍ୟାପୁଛି।

ଇଣ୍ଡିଆନ ଜର୍ନାଲ ଅଫ ମେଡିକାଲ ରିସର୍ଚ୍ଚରେ ପ୍ରକାଶିତ ଏହି ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ୧ ଜାନୁୟାରୀ ୨୦୧୬ ରୁ ୧ଜାନୁୟାରୀ ୨୦୨୧ ମଧ୍ୟରେ ୨୬୦୦ ରୁ ଅଧିକ ଲୋକଙ୍କୁ ପଞ୍ଜୀକୃତ କରିଥିଲେ, କିନ୍ତୁ ସମସ୍ତ ଡାକ୍ତରୀ ତଥ୍ୟ ଯାଞ୍ଚ କରିବା ପରେ ୩୯୧ ଜଣଙ୍କ ଉପରେ ଅଧ୍ୟୟନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଶ୍ଳେଷଣ ସମୟରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ହେପାଟାଇଟିସ ସି ଭୁତାଣୁରେ ଆଣ୍ଟିବଡି ୨୨୦ (୫୬.୨୬ପ୍ରତିଶତ) ଲୋକଙ୍କ ମଧ୍ୟରେ ଥିବାବେଳେ ୧୦୯ ଅର୍ଥାତ ୨୭.୮୭ ପ୍ରତିଶତ ହେପାଟାଇଟିସ ସି ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଇଞ୍ଜେକ୍ସନ ନିଶା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିଛି ସମୟ ପୂର୍ବରୁ ଦେଶର ଉତ୍ତର ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଏହି ନିଶା ଅଧିକ ବ୍ୟାପିଥିଲା, କିନ୍ତୁ ନିକଟରେ ଇଞ୍ଜେକ୍ସନର ଅସୁରକ୍ଷିତ ବ୍ୟବହାର ହେତୁ ବିଭିନ୍ନ ରୋଗର ଶିକାର ହେଉଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

Share