କୋକସରା ବ୍ଲକ: ୧୦୨ ବୁଥ୍‌ରେ ମତଦାନ କରିବେ ୯୧,୩୭୬ ଭୋଟର

କୋକସରା,୧୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ନିର୍ବାଚନ କ୍ଷେତ୍ରର ଧର୍ମଗଡ଼ ବିଧାନସଭାରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପ୍ରଚାରର ଆଜି ଶେଷଦିନ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ କଳାହାଣ୍ଡି ଲୋକ ସଭା ଓ ୭ ବିଧାନସଭା ପାଇଁ ନିର୍ବାଚନ ହେବ। କୋକସରା ବ୍ଲକର ୨୨ ପଞ୍ଚାୟତର ୧୦୨ ବୁଥ୍‌ରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋକସରା ବ୍ଲକ ୨୨ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ୧୦୨ଟି ବୁଥ୍‌ରେ ୯୧ ହଜାର ୩୭୬ ଜଣ ଭୋଟର ମତଦାନ କରିବେ। ଏମାନଙ୍କ ମଧ୍ୟରେ ପୁରୁଷ ଭୋଟର ୪୬,୦୦୬ ରହିଥିବା ବେଳେ ମହିଳା ଭୋଟର ୪୫,୩୬୯ ଓ ଜଣେ ତୃତୀୟ ଲିଙ୍ଗ ଭୋଟର ରହିଥିବା ସୂଚନା ମିଳିଛି। ଚଳିତ ନିର୍ବାଚନରେ ଧର୍ମଗଡ଼ ବିଧାନସଭାରେ ଭାଜପା, ବିଜେଡି, କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବା ନେଇ ଚର୍ଚ୍ଚା ହେଉଛି। ତିନି ପ୍ରମୁଖ ଦଳକୁ ଛାଡ଼ି ଅନ୍ୟ ଦଳରୁ ୪ ପ୍ରାର୍ଥୀ ଓ ୫ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ୧୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ତେବେ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ନିର୍ବାଚନକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି।

Share