୯୨ କଇଁଛ ଉଦ୍ଧାର: ବନ୍ଧା ହେଲେ ୨ ଅଭିଯୁକ୍ତ

ପାପଡାହାଣ୍ଡି,୧୫।୬(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ପୋଲିସ ୯୨ କଇଁଛ ଉଦ୍ଧାର  କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ୨ଟି ବାଇକ୍‌ ଜବତ କରାଯାଇଥିବା ମଇଦଲପୁର ଥାନା  ପରିସରରେ ଏକ ଖବରଦାତା ସମ୍ମିଳନୀ କରି ପାପଡାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ଆମପାଣିର ଚୈତନ୍ୟ ରାଉତ ଓ  ଡାବୁଗାଁ  ରାଜେଶ ପାଇକ। ଆମପାଣିରୁ ଝରିଗାଁକୁ ସେମାନେ କଇଁଛ ଚାଲାଣ କରୁଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।
କଇଁଛ ଚାଲାଣ ଖବରପାଇ ନବରଙ୍ଗପୁର ଏସ୍‌ପି ଏସ୍‌.ସୁଶ୍ରୀଙ୍କ ନିର୍ଦ୍ଦେଶକ୍ରମେ ମଇଦଲପୁର ଥାନାଧିକାରୀ ନଟବର ନନ୍ଦ ଏକ ଟିମ୍‌ ଗଠନ କରି କେନ୍ଦୁଗୁଡ଼ା ଗ୍ରାମରେ ଚଢ଼ାଉ କରିଥିଲେ। ସେଠାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯାଇଛି। ଆମପାଣିରୁ   ଡାବୁଗାଁକୁ   କଇଁଛ ଚାଲାଣ  କରାଯାଉଥିବା ବେଳେ  ପୋଲିସ କେନ୍ଦୁଗୁଡା ନିକଟରେ  ସେମାନଙ୍କୁ ଧରିଥିଲା। ଗିରଫ ଅଭିଯୁକ୍ତଙ୍କଠାରୁ ଉଦ୍ଧାର ୯୨ କଇଁଛକୁ ମଇଦଲପୁର ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ଖବରଦାତା ସମ୍ମିଳନୀରେ  ମଇଦଲପୁର ବନପାଳ ମଧୁସୂଦନ ପାତ୍ର, ବନବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ।
Share