Categories: ଜାତୀୟ

୯,୨୦୦ କୋଟିର ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ହୋଇଛି

ନୂଆଦିଲ୍ଲୀ,୯।୨: ଦେଶରେ ୨୦୧୮ ଜାନୁୟାରୀ ୨ରେ ଇଲେକ୍ଟୋରାଲ ବଣ୍ଡ୍‌ ସ୍କିମ୍‌ ଲାଗୁ ହେବା ପରଠାରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂସ୍ଥା ୯,୨୦୮.୨୪ କୋଟି ଟଙ୍କାର ବଣ୍ଡ୍‌ କିଣିଛନ୍ତି ବୋଲି ମଙ୍ଗଳବାର ରାଜ୍ୟ ସଭାରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।
ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଆଧାରରେ କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ୍‌ ସିଂ କହିଛନ୍ତି, ଅଦ୍ୟାବଧି ଅଧିକୃତ ବ୍ୟାଙ୍କ ଏସ୍‌ବିଆଇ ଜରିଆରେ ୯,୨୦୮.୨୪ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ହୋଇଛି। କମ୍ପାନୀ ଆଇନ, ୨୦୧୩ର ଧାରା ୧୮୨ ଅନୁସାରେ ୩ ବର୍ଷ ହୋଇ ନ ଥିବା ଘରୋଇ କମ୍ପାନୀଗୁଡ଼ିକ ନିଜ ବୋର୍ଡ ଅଫ୍‌ ଡାଇରେକ୍ଟର୍ସଙ୍କ ଅନୁମୋଦନ ପରେ ପ୍ରତ୍ୟକ୍ଷ କିମ୍ବ ପରୋକ୍ଷ ଭାବେ କୌଣସି ରାଜନୈତିକ ଦଳକୁ ଚାନ୍ଦା ଦେଇପାରିବେ। ଏଭଳି କମ୍ପାନୀଗୁଡ଼ିକୁ ଆର୍ଥିକ ବର୍ଷର ଲାଭକ୍ଷତି ଆକାଉଣ୍ଟରେ ଦାନ ସମ୍ପର୍କରେ ବିବରଣୀ ପ୍ରଦାନ କରିବାକୁ ପଡ଼ିବ। ତେବେ ସେଥିରେ ଚାନ୍ଦା ନେଇଥିବା ରାଜନୈତିକ ଦଳର ନାମ ଉଲ୍ଲେଖ କରିବା ଅନାବଶ୍ୟକ। ସେଥିପାଇଁ ଗତ ୩ ବର୍ଷ ମଧ୍ୟରେ କେଉଁ ଦଳ କେତେ ଟଙ୍କା ଚାନ୍ଦା ଆକାରରେ ପାଇଛନ୍ତି ସେ ସମ୍ପର୍କିତ ତଥ୍ୟ ଉପଲବ୍ଧ ନୁହେଁ ବୋଲି କର୍ପୋରେଟ୍‌ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ଏକ ଲିଖିତ ଉତ୍ତରରେ କହିଛନ୍ତି। ସେହିପରି ଜଣେ ବ୍ୟକ୍ତି ମଧ୍ୟ ନିଜେ କିମ୍ବା ଅନ୍ୟ କାହା ସହ ମିଳିତ ଭାବେ ଇଲେକ୍ଟୋରାଲ ବଣ୍ଡ୍‌ ନେଇପାରିବେ। ତେବେ ବିଦେଶୀ ନାଗରିକ କିମ୍ବା ସଂସ୍ଥାଗୁଡ଼ିକୁ ଏହି ବଣ୍ଡ୍‌ ବିକ୍ରି କରାଯାଇ ନ ଥାଏ।

Share