Advertisement

ଯୋରନ୍ଦାର ବିକାଶ ପାଇଁ ୯୩ କୋଟି ମଞ୍ଜୁର

ଢେଙ୍କାନାଳ,୧୧ା୭(ରତନ ନାୟାର): ଢେଙ୍କନାଳ ଜିଲା ଯୋରନ୍ଦାସ୍ଥିତ ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ପୀଠ ମହିମାଗାଦିକୁ ଆନ୍ତର୍ଜାତିକସ୍ତରର ପର୍ଯ୍ୟଟନସ୍ଥଳୀ କରିବା ଏବଂ ଇଣ୍ଟିଗ୍ରେଟେଡ୍‌ ଡେଭେଲପମେଣ୍ଟ ଅଫ୍‌ ହେରିଟେଜ୍‌ ଆଣ୍ଡ ମନୁମେଣ୍ଟ ଆଣ୍ଡ ଟୁରିଷ୍ଟ ଡେଷ୍ଟିନେଶନର ୨୦୨୩-୨୪ ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୯୩ କୋଟି ୭୩ ଲକ୍ଷ ୨୩ ହଜାର ଟଙ୍କାର ଅନୁଦାନକୁ ପ୍ରଶାସନିକ ମଞ୍ଜୁରୀ ଦେଇଛନ୍ତି। ଏହି ଅର୍ଥରେ ପ୍ରଥମ ପର୍ଯ୍ୟାୟରେ ମହିମାଗାଦି ପୀଠ ଯୋରନ୍ଦାରେ ଭବ୍ୟ ସମାଧି ମନ୍ଦିର ପୁନଃନିର୍ମାଣ, ଉପାସନା ସ୍ଥଳୀର ପୁନଃନିର୍ମାଣ, ପ୍ରାର୍ଥନା ଗୃହ, ବିଶ୍ରାମ ଗୃହ, ନୂତନ ପାଚେରି, ପୁଷ୍କରିଣୀର ପୁନଃରୁଦ୍ଧାର, ମହିମା ମ୍ୟୁଜିୟମ ଓ ପାଠାଗାର, ସ୍ବାସ୍ଥ୍ୟକେନ୍ଦ୍ର, ପାର୍କିଂସ୍ଥାନ, ଚାରା ରୋପଣ ଓ ୨୦୦ ଶୌଚାଳୟ ଆଦି ନିର୍ମାଣ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।
ମହିମାପୀଠ ଯୋରନ୍ଦାକୁ ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ଏବଂ ଏହାକୁ ଆନ୍ତର୍ଜାତିକସ୍ତରର ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗତ ମେ ମାସ ୨୯ ତାରିଖରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ମହିମାଗାଦି ଯୋରନ୍ଦା ପରିଦର୍ଶନ କରି ମହିମା ସାଧୁସନ୍ନାସୀମାନଙ୍କ ସହିତ ପୀଠର ବିକାଶ ନେଇ ଆଲୋଚନା କରିଥିଲେ। ଏହାପରେ ପୀଠର ବିକାଶ ନିମନ୍ତେ ଜିଲାପାଳ ସରୋଜ କୁମାର ସେଠୀ ରାଜ୍ୟ ସରକାରଙ୍କ ନିକଟରେ ସବିଶେଷ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଜୁନ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିମାପୀଠ ଯୋରନ୍ଦାର ବିକାଶ ପାଇଁ ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ତ୍ୱରିତ ଅନୁମୋଦନ କରିବା ପରେ ମହିମା ସାଧୁ ସନ୍ନ୍ୟାସୀମାନେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ କରିବା ସହିତ କୃତଜ୍ଞତା ଜଣାଇଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯୩ କୋଟି ୭୩ଲକ୍ଷ ୨୩ ହଜାର ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ବକେୟା ଅନୁଦାନ ପରବର୍ତ୍ତୀ ସମୟରେ ମିଳିବ ବୋଲି ସୂଚନା ପ୍ରଦାନ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel