Categories: ଖେଳ

ଦ୍ୱିତୀୟ ପର୍ଯ୍ୟାୟରେ ଭାଗନେଲେ ୯୩ ଖେଳାଳି

ଭୁବନେଶ୍ୱର, ୧।୫ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ସ୍ପିନ୍‌ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ରବିବାର ସ୍ଥାନୀୟ ବିଜେବି ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ଗଜପତି, କୋରାପୁଟ, ଗଞ୍ଜାମ, କନ୍ଧମାଳ ଓ ରାୟଗଡ଼ା ଅଞ୍ଚଳରୁ ୯୩ ଖେଳାଳି ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସିନିୟର ପୁରୁଷ ଦଳର ମୁଖ୍ୟ କୋଚ୍‌ ଦୀନେଶ ମୋଙ୍ଗିଆଙ୍କ ସମେତ ଓସିଏର ଜୁନିୟର ଓ ସିନିୟର ଚୟନକର୍ତ୍ତା ଅମିୟ ରାୟ, ସୁବିତ ବିଶ୍ୱାଳ, ପ୍ରଭଜ୍ଞନ ମଲିକ, ନିରଞ୍ଜନ ବେହେରା ଓ ଶୁଭ୍ରଜିତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ମଧ୍ୟ ଭେନ୍ୟୁସ୍ଥଳରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ବଲାଙ୍ଗୀରର ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମେ’ ୨ରେ ୬ ଜିଲାର ଖେଳାଳି ସେଠାରେ ପ୍ରତିଭା ପ୍ରଦର୍ଶନ କରିବେ। ଏହାର ପ୍ରଥମ ପର୍ଯ୍ୟାୟ ଓଡ଼ିଶା କ୍ରିକେଟ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଥିଲା।

Share