Categories: ଜାତୀୟ

୯୪.୭ କୋଟି ସାଇବର ଆକ୍ରମଣ ରୋକାଯାଇଛି

ନୂଆଦିଲ୍ଲୀ,୨୩ା୮: ଭାରତରେ ସାଇବର ଆକ୍ରମଣ ମହାମାରୀ ଭଳି ବ୍ୟାପିଚାଲିଛି। ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଦ୍ୱିତୀୟ ତ୍ରୈମାସିକରେ ଦେଶରେ ୯୪.୭ କୋଟିରୁ ଊର୍ଦ୍ଧ୍ୱ ସାଇବର ଆକ୍ରମଣକୁ ରୋକାଯାଇଛି। ସାରା ବିଶ୍ୱରେ ୧୧୦ କୋଟି ସାଇବର ଆକ୍ରମଣକୁ ପଣ୍ଡ କରାଯାଇଛି। ପ୍ରଥମ ତ୍ରୈମାସିକ ତୁଳନାରେ ଦ୍ୱିତୀୟ ତ୍ରୈମାସିକରେ ଭାରତୀୟ ଓ୍ବେବ୍‌ସାଇଟଗୁଡ଼ିକରେ ସାଇବର ଆକ୍ରମଣ ୯୦ ପ୍ରତିଶତ ବଢ଼ିଥିବା ଟାଟା କ୍ୟାପିଟାଲର ଷ୍ଟାର୍ଟଅପ୍‌ ସଂସ୍ଥା ଇଣ୍ଡୁସ୍‌ଫେସ୍‌ ପକ୍ଷରୁ କୁହାଯାଇଛି।
ମୁଖ୍ୟତଃ ବ୍ୟାଙ୍କିଙ୍ଗ୍‌, ବୀମା ଏବଂ ସ୍ବାସ୍ଥ୍ୟସେବା ସେକ୍ଟର ସର୍ବାଧିକ ପ୍ରଭାବିତ ହେଉଛନ୍ତି। ଏହି ଶିଳ୍ପଗୁଡ଼ିକର ପ୍ରତି ଓ୍ବେବ୍‌ସାଇଟ୍‌ରେ ବୋଟ୍‌ ଆଟାକ୍‌ ହେଉଛି। ପ୍ରଥମ ତ୍ରୈମାସିକ ତୁଳନାରେ ଦ୍ୱିତୀୟ ତ୍ରୈମାସିକରେ ଏଭଳି ଆକ୍ରମଣ ୪୮ ପ୍ରତିଶତ (୨୦ ନିୟୁତ)କୁ ବୃଦ୍ଧି ପାଇଛି। ସେହିପରି ଡିଡିଓଏସ୍‌ (ଡିଷ୍ଟ୍ରିବ୍ୟୁଟେଡ୍‌ ଡେନିଆଲ ଅଫ୍‌ ସର୍ଭିସ) ଆକ୍ରମଣ ମଧ୍ୟ ଯଥେଷ୍ଟ ବଢ଼ିଛି। ପ୍ରଥମ ତ୍ରୈମାସିକ ତୁଳନାରେ ଏହା ୭୫ ପ୍ରତିଶତ ବଢ଼ିଥିବା କୁହାଯାଉଛି। ସାରା ବିଶ୍ୱରେ ମୋଟ ଡିଡିଓଏସ୍‌ ଆକ୍ରମଣ ୮୭,୨୧,୦୫,୮୨୬ ହୋଇଥିବାବେଳେ ମୋଟ ବୋଟ୍‌ ଆକ୍ରମଣ ୮,୮୧,୮୬,୮୬୮ ହୋଇଛି। ସାରା ବିଶ୍ୱରେ ସାଇବର ଆକ୍ରମଣ ବଢ଼ିଥିଲେ ମଧ୍ୟ ଭାରତ ଭଳି କୌଣସି ଦେଶରେ ଏହା ୯୦ ପ୍ରତିଶତ ବଢ଼ିନାହିଁ ବୋଲି ଇଣ୍ଡୁସ୍‌ଫେସ୍‌ର ସିଇଓ ଆଶିଷ ଟଣ୍ଡନ କହିଛନ୍ତି। ଡିଡିଓଏସ୍‌ ସବୁଠୁ ବିପଜ୍ଜନକ ଭେକ୍ଟର ପାଲଟିଛି। ଡିଡିଓଏସ୍‌ ଆକ୍ରମଣର ଗୁରୁତର ମିଥ୍ୟା ପଜିଟିଭ୍‌ ପରିଣାମ ସତ୍ତ୍ୱେ ବାସ୍ତବ ୟୁଜରମାନଙ୍କ ପାଇଁ ଉଦ୍ୟୋଗୀମାନେ ଆପ୍ଲିକେଶନ ଉପଲବ୍ଧତା ଉପରେ ପ୍ରାଥମିକତା ଦେଇଆସୁଛନ୍ତି। ସେଥିପାଇଁ ଅଧିକାଂଶ ଡିଡିଓଏସ୍‌ ହ୍ରାସ ପଦ୍ଧତି ପରିବର୍ତ୍ତିତ ସ୍ଥିତିରେ ଭଲ ଭାବେ ଉପଯୋଗ ହୋଇପାରୁ ନାହିଁ।

Share