Categories: ଖେଳ

୯୫୧ କୋଟିରେ ଭାଏକମ୍‌ ୧୮କୁ ମିଡିଆ ରାଇଟ୍ସ

ନୂଆଦିଲ୍ଲୀ,୧୭ା୧(ପି.ଟି.): ଚଳିତ ବର୍ଷ ଆରମ୍ଭ ହେବାକୁ ଥିବା ମହିଳା ଆଇପିଏଲ ପାଇଁ ମିଡିଆ ରାଇଟ୍ସ ବିକ୍ରି ହୋଇଛି। ଡିଜ୍‌ନୀ ଷ୍ଟାର ଓ ସୋନି ଚ୍ୟାନେଲକୁ ପଛରେ ପକାଇ ୯୫୧ କୋଟି ଟଙ୍କାରେ ପ୍ରସାରଣ ଅଧିକାର ହାସଲ କରିଛି ଭାଏକମ୍‌ ୧୮। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ସୋମବାର ଏହି ନିଲାମି ହୋଇଥିଲା। ତିନୋଟି ବର୍ଗରେ ଏହି ଅଧିକାର ପ୍ରଦାନ କରାଯାଇଥାଏ। ଲିନିଅର(ଟିଭି), ଡିଜିଟାଲ ଓ କମ୍ବାଇନ୍‌ଡ(ଟିଭି ଓ ଡିଜିଟାଲ) ରାଇଟ୍ସ ବାବଦରେ ପୁରୁଷ ଆଇପିଏଲରେ ଭିନ୍ନ ଭିନ୍ନ ପ୍ରାନ୍ତ ପାଇଁ ଅଲଗା ମୂଲ୍ୟ ରହିଥାଏ। ମାତ୍ର ପ୍ରଥମକରି ଆୟୋଜିତ ହେଉଥିବା ମହିଳା ଆଇପିଏଲ ପାଇଁ ଭାଏକମ୍‌ ୧୮କୁ ଏହି ଗ୍ଲୋବାଲ ରାଇଟ୍ସ ପ୍ରଦାନ କରାଯାଇଛି। ଆସନ୍ତା ୫ ବର୍ଷ ଲାଗି ପ୍ରସାରଣ ଅଧିକାର ଦିଆଯାଇଥିବାବେଳେ ପ୍ରତି ମ୍ୟାଚ୍‌ ପିଛା ବିସିସିଆଇ ୭.୦୯ କୋଟି ଟଙ୍କା ଆୟ କରିବ ବୋଲି ସମ୍ପାଦକ ଜୟ ଶାହା କହିଛନ୍ତି। ମାର୍ଚ୍ଚ ପ୍ରଥମ ସପ୍ତାହରେ ମହିଳା ଆଇପିଏଲ୍‌ର ପ୍ରଥମ ସଂସ୍କରଣ ଆରମ୍ଭ ହେବ। ଏଥିରେ ୫ ଦଳ ଅଂଶଗ୍ରହଣ କରିବେ। ସବୁ ମ୍ୟାଚ୍‌ ମୁମ୍ବାଇରେ ହେବ।

Share