ଯୋଧପୁର,୪।୫: ରାଜସ୍ଥାନ ଯୋଧପୁରରେ ହୋଇଥିବା ହିଂସା କମିବାର ନାଁ ନେଉନାହିଁ। ଏ ପର୍ଯ୍ୟନ୍ତ ଘଟଣାରେ ୯୭ ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଇଦ୍ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ହୋମ ଟାଉନ୍ରେ ଯୋଧପୁରରେ ଦୁଇଟି ସମ୍ପ୍ରଦାୟ ମଧ୍ୟରେ ହିଂସା ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଶେଷରେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।ଏହି ମାମଲାରେ ଯୋଧପୁରର ଅନେକ ସ୍ଥାନରେ କର୍ଫ୍ୟୁ ଲାଗି ରହିଛି। ଯୋଧପୁର ସମେତ ଉଦୟ ମନ୍ଦିର ଏବଂ ନଗୋରୀ ଗେଟ ଆଦିରେ କର୍ଫ୍ୟୁ ଲାଗି ରହିଥିବା ବେଳେ ଗୁଜବ ରୋକିବାକୁ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି।
ଅନ୍ୟପଟେ ହିଂସାକାଣ୍ଡରେ ବିଜେପିର ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଅଭିଯୋଗ କରିଛନ୍ତି। ଏହା ହେଉଛି ବିଜେପିର ଏଜେଣ୍ଡା କାରଣ ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ଏତେ ବୃଦ୍ଧି ପାଇଛି ଯେ ସେମାନେ ଏହାକୁ ନିୟନ୍ତ୍ରଣ କରିପାରିବେ ନାହିଁ। ତେଣୁ ଧ୍ୟାନ ଆକର୍ଷଣ କରିବା ପାଇଁ ସେମାନେ ଏହା ଜାଣିଶୁଣି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।