କଂଗ୍ରେସର ୯୭ ପ୍ରତିଶତ-ବିଏସ୍‌ପିର ୭୨ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଲେ…

ଲକ୍ଷ୍ନୌ, ୧୨।୩ : ଉତ୍ତରପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି, ସମାଜବାଦୀ ପାର୍ଟି ଏହାକୁ ପ୍ରତ୍ୟେକ ଆସନରେ କଡ଼ା ମୁକାବିଲା କରିଛି। କିନ୍ତୁ ଦୀର୍ଘ ଦିନ ଧରି ଉତ୍ତରପ୍ରଦେଶର ରାଜନୀତିକୁ ଫେରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଦଳର ୩୯୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୮୭ଜଣ ଅମାନତ ହରାଇଛନ୍ତି। କଂଗ୍ରେସର କେବଳ ଦୁଇଜଣ ପ୍ରାର୍ଥୀ ସେମାନଙ୍କ ଆସନ ବଞ୍ଚାଇ ପାରିଛନ୍ତି।

ସେହିପରି ବହୁଜନ ସମାଜବାଦୀ ପାର୍ଟିର ୪୦୩ ପ୍ରାର୍ଥୀଙ୍କ ମଧ୍ୟରୁ ୨୯୦ ଜଣଙ୍କ ଅମାନତ ଉଡି ଯାଇଛି। ବିଧାନସଭା ନିର୍ବାଚନରେ ମୋଟ ଭୋଟର ମାତ୍ର ୨.୪ ପ୍ରତିଶତ କଂଗ୍ରେସ ପାଇଛି। ଦଳ ୪ ଟି ସିଟ୍‌ ବ୍ୟତୀତ ରାଜ୍ୟର ପ୍ରତ୍ୟେକ ଆସନରେ ନିଜର ପ୍ରାର୍ଥୀ ଦେଇଥିଲା। ୩୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ୨.୯ ପ୍ରତିଶତ ଭୋଟ ପାଇଛି। ଯାହା କଂଗ୍ରେସ ଅପେକ୍ଷା ଭଲ ସ୍ଥିତିରେ ରହିଛି।

ଭାଜପାର ତିନିଜଣ ପ୍ରାର୍ଥୀଙ୍କ ଅମାନତ ହରାଇଛନ୍ତି। ସମାଜବାଦୀ ପାର୍ଟିର ୬ ଜଣ ପ୍ରାର୍ଥୀଙ୍କ ଅମାନତ ଉଡି ଯାଇଛି। ଆପ୍‌ନା ଦଳ ଏବଂ ନିଶାଦ ପାର୍ଟିର କୌଣସି ପ୍ରାର୍ଥୀ ଅମାନତ ହରାଇ ନାହାନ୍ତି। ଚଳିତ ବିଧାନସଭା ନିର୍ବାଚନରେ ୪,୪୪୨ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ସେଥିମଧ୍ୟରୁ ୩,୫୨୨ ଅର୍ଥାତ୍‌ ୮୦ ପ୍ରତିଶତ ପ୍ରାର୍ଥୀ ସେମାନଙ୍କ ଅମାନତ ହରାଇଛନ୍ତି।

Share