ଜୁଲାଇ ଶେଷ ୨ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୯୭ହଜାର ଶିଶୁ: ରିପୋର୍ଟ

ଓ୍ବାଶିଂଟନ୍‌,୧୨।୮: ଆମେରିକାରେ ଜୁଲାଇ ଶେଷ ୨ସପ୍ତାହରେ ଅତି କମ୍‌ରେ ୯୭ହଜାର ଶିଶୁ କରୋନା ଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ରାଜ୍ୟସ୍ତରୀୟ ତଥ୍ୟର ଏକ ନୂତନ ସମୀକ୍ଷା ରିପୋର୍ଟରେ ଏହି ସୂଚନା ଦେଇଛି ଆମେରିକୀୟ ଏକାଡେମି ଅଫ୍‌ ପେଡିଆଟ୍ରିକ୍ସ ଓ ଶିଶୁ ହସ୍ପିଟାଲ ଆସୋସିଏସନ। ଏହି ତଥ୍ୟ ଅନୁସାରେ ଦେଶରେ ପିଲାମାନଙ୍କ ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ୪୦ ପ୍ରତିଶତ ବୃଦ୍ଧି ପାଇଛି। ଏହି ରିପୋର୍ଟ ଏଭଳି ସମୟରେ ଆସିଛି, ଯେତେବେଳେ ଆମେରିକା ଦେଶରେ ସ୍କୁଲ କେବେ ଏବଂ କିପରି ସୁରକ୍ଷିତ ଭାବରେ ଖୋଲାଯାଇପାରିବ ସେନେଇ ବିଚାର କରୁଛି। ତେବେ ବିଶେଷଜ୍ଞଙ୍କ କହିବା କଥା, ମିଳିଥିବା ରିପୋର୍ଟ ଅନୁସାରେ ପିଲାମାନେ କରୋନାରେ ସଂକ୍ରମିତ ହୋଇପାରନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିପାରନ୍ତି। କାରଣ ଶିଶୁମାନଙ୍କ ପାଖରେ କରୋନାକୁ ପ୍ରତିହତ କରିବା ପାଇଁ ପ୍ରତିରୋଧକ ଶକ୍ତି କମ୍‌ ରହିଥାଏ। ସୂଚନାଯୋଗ୍ୟ, ବିଶ୍ୱ ମହାମାରୀ କରୋନା ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ ସଂକ୍ରମଣ ବ୍ୟାପିବା ଆରମ୍ଭରୁ ଏପର୍ଯ୍ୟନ୍ତ ପ୍ରାୟ ୩ଲକ୍ଷ ୪୦ ହଜାର ପିଲା ସଂକ୍ରମିତ ହୋଇଛନ୍ତି। ଶିଶୁମାନଙ୍କଠାରେ ସଂକ୍ରମଣର ବୃଦ୍ଧି ମୁଖ୍ୟତଃ ଦକ୍ଷିଣ ଏବଂ ପଶ୍ଚିମ ରାଜ୍ୟରେ ଦେଖାଯାଇଛି। ସେଗୁଡିକ ମଧ୍ୟରେ ମିସୋରୀ, ଓକ୍ଲାହୋମା, ଜର୍ଜିଆ, ଫ୍ଲୋରିଟା, ମୋଣ୍ଟନା ଓ ଆଲାସ୍କା ଭଳି ରାଜ୍ୟ ରହିଛି। ଜର୍ଜିଆରେ କିଛି ମାସ ପରେ ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲାଯାଇଥିଲା। କିନ୍ତୁ ଏଠାରେ ବିଦ୍ୟାଳୟ ଖୋଲିବାର ଏକ ସପ୍ତାହ ମଧ୍ୟରେ ୨୫୦ରୁ ଅଧିକ ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି।

Share