Categories: ଫୁରସତ

ଅସହାୟଙ୍କ ପାଇଁ ତିଆରିକଲେ ୯୯ ଘର

ଅଟାୱା: କାନାଡାର ଜଣେ ବ୍ୟକ୍ତି ଏପରି ଏକ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ସବୁଆଡୁ ଶୁଭେଚ୍ଛା ମିଳୁଛି। ଯେଉଁମାନଙ୍କ ରହିବାକୁ ଘର ନାହିଁ, ସେ ସେମାନଙ୍କ ପାଇଁ ଘର ତିଆରି କରିଥିବା ଜଣାପଡ଼ିଛି। ମାର୍ସେଲ ଲେବ୍ରୁନ୍‌ ନିଜର ଏକ ସଫ୍ଟୱେର କମ୍ପାନୀକୁ ଲକ୍ଷାଧିକ ଟଙ୍କାରେ ବିକ୍ରିକରିବା ପରେ ସେହି ଟଙ୍କାକୁ ଏକ ଭଲ କାମରେ ଲଗାଇବାକୁ ସ୍ଥିର କରିଥିଲେ। ସେଥିପାଇଁ ସେ ତାଙ୍କର ପୂରା ଧ୍ୟାନ ଅସହାୟ ତଥା ଘର ନ ଥିବା ଲୋକଙ୍କୁ ଘର ପ୍ରଦାନ ପାଇଁ ଲାଗି ପଡ଼ିଲେ। ସେ ବର୍ତ୍ତମାନ ନ୍ୟୁ ବ୍ରୁନ୍‌ସ୍ବିକ୍‌ରେ ପାଖାପାଖି ୬ଶହ ଲୋକଙ୍କ ପାଇଁ ଘର ତିଆରି କରିବାରେ ଲାଗି ପଡ଼ିଛନ୍ତି। ଲେବ୍ରୁନ୍‌ ଯେଉଁ ଘର ସବୁ ତିଆରି କରିଛନ୍ତି, ସେଠାରେ ରହିବାକୁ ଥିବା ଅସହାୟ ଲୋକଙ୍କୁ ନିଜ ରୋଜଗାରର ମାତ୍ର ୩୦ ପ୍ରତିଶତ ଦେବାକୁ ହେବ। ତିଆରି ହୋଇଥିବା ୯୯ଟି ଘର ଛୋଟ ହୋଇଥିଲେ ମଧ୍ୟ ତା’ ଭିତରେ ସମସ୍ତ ପ୍ରକାର ସବୁଧା ରହିଛି। ଏଥିସହ ସେହି ଘର ସବୁ ଦୃଷ୍ଟିରୁ ସୁରକ୍ଷିତ ମଧ୍ୟ। ଏହାକୁ ପ୍ରାୟ ୧୨ ଜଣ ସଦସ୍ୟ ସହାୟତାରେ ତିଆରି କରିଯାଇଛି। ଏହି ୯୯ ଘର ପ୍ରସ୍ତୁତ ପାଇଁ ଲେବ୍ରୁନ୍‌ ଓ ତାଙ୍କ ସ୍ତ୍ରୀ ନିଜ ଟଙ୍କାରୁ ପ୍ରାୟ ୪ମିଲିୟନ ଡଲାର ଅର୍ଥାତ୍‌ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିସହ ପ୍ରାନ୍ତୀୟ ଏବଂ ସଂଘୀୟ ଯୋଗଦାନ ଦ୍ୱାରା ୮ ମିଲିୟନ ଡଲାର ଅର୍ଥାତ୍‌ ୬୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ଏହି ପ୍ରୋଜେକ୍ଟ ପାଇଁ ମୋଟ ୧୨ ମିଲିୟନ ଡଲାର ଖର୍ଚ୍ଚ ହୋଇଥିବା ଲେବ୍ରୁନ୍‌ କହିଛନ୍ତି।

Share