କରୋନାକୁ ହରାଇ ଘରକୁ ଫେରିଲେ କୋଲକାତାର ଏହି ୯୯ ବୟସ୍କ ବୃଦ୍ଧ

କୋଲକାତା,୩।୭: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାମାରୀରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିଲେ ହେଁ ଶହ ଶହ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ବିଶେଷଭାବେ ବୟସ୍କ ବ୍ୟକ୍ତି ଏହାର ଶିକାର ହେଲେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ହେଲେ ଏକ ବ୍ୟତିକ୍ରମସ୍ବରୂପ କୋଲକାତାର ଜଣେ ୯୯ବର୍ଷୀୟ ବୃଦ୍ଧ କରୋନାକୁ ହରାଇ ଘରକୁ ଫେରିଛନ୍ତି। ଏହାଦ୍ୱାରା ସେ କରୋନାକୁ ହରାଇ ମୃତ୍ୟୁକୁ ପରାଜିତ କରିଥିବା ଦେଶର ସବୁଠାରୁ ବୟସ୍କ କରୋନା ଯୋଦ୍ଧା ପାଲଟିଛନ୍ତି।

ବୃଦ୍ଧ ଜଣକ ହେଲେ ପଶ୍ଚିମବଙ୍ଗର ଶ୍ରୀପତି ନୟାବନ। ବୁଧବାର ଅପରାହ୍ନରେ ସେ ଡାଇମଣ୍ଡ ହାର୍ବରସ୍ଥିତ ନିଜ ଘରକୁ ଫେରିଛନ୍ତି। କାଗଜପତ୍ରରୁ ତାଙ୍କୁ ୯୯ ବର୍ଷ ବୟସ ବୋଲି ଜଣାପଡ଼ିଛି। ହେଲେ ତାଙ୍କୁ ୧୦୦ ବର୍ଷରୁ ଅଧିକ ହୋଇଥିବା ଶ୍ରୀପତି ଯୁକ୍ତି କରନ୍ତି।

କିଛି ଦିନ ପୂର୍ବେ ଶ୍ରୀପତିଙ୍କୁ ଜ୍ୱର ହୋଇଥିଲା। ପରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଟେଷ୍ଟ ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଜୁନ ୨୫ ତାରିଖରେ ତାଙ୍କୁ କୋଲକାତାର ଏକ ନର୍ସିଂ ହୋମ୍‌କୁ ପଠାଯାଇଥିଲା। ସେଠାରେ ଚିକିତ୍ସା କରାଯିବା ପରେ ସେ ଠିକ୍‌ ହୋଇଯାଇଛନ୍ତି। ଫଳରେ ବୁଧବାର ତାଙ୍କୁ ହସ୍ପିଟାଲରୁ ଘରକୁ ଯିବା ଲାଗି କୁହାଯାଇଥିଲା। ତେବେ ଏଭଳି ଘଟଣା ଡାକ୍ତରମାନଙ୍କ ମନୋବଳ ବଢ଼ାଉଥିବା ଚିକିତ୍ସା କରୁଥିବା ଡାକ୍ତର ନରଗିସ ପରଓ୍ବିନ୍‌ କହିଛନ୍ତି। ଶ୍ରୀପତି କରୋନାକୁ ହରାଇଥିବା ଦେଶର ସବୁଠାରୁ ବୟସ୍କ ବୃଦ୍ଧ। ସେ ଏକ ଉଦାହରଣ। କରୋନାକୁ ଭୟ ନ କରି ଏହା ସହ ଲଢ଼ିବାକୁ ପଡ଼ିବ ବୋଲଇ ସେ ମଧ୍ୟ କହିଛନ୍ତି।

Share