ଅଗଷ୍ଟ ୧୬ରୁ ଖୋଲିବ ୯ମ ଶ୍ରେଣୀ

ଭୁବନେଶ୍ୱର,୬।୮(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଗୁରୁବାର ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୧୬ରୁ ସରକାରୀ, ସରକାରୀ ସହାୟତା ଏବଂ ବେସରକାରୀ ଶିକ୍ଷାନୁଷ୍ଠାନରେ ୯ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ପାଠପଢ଼ା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ୯ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଅଫ୍‌ଲାଇନ ପାଠପଢ଼ା ଆରମ୍ଭ ହେବ। କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲିବା ସହ ରବିବାର ଓ ଛୁଟିଦିନକୁ ଛାଡ଼ି ଅନ୍ୟ ଦିନ ସକାଳ ୯ରୁ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ସ୍କୁଲରେ ପାଠପଢା ହେଲେ ମଧ୍ୟ ଅନ୍‌ଲାଇନ ଜରିଆରେ ପଢ଼ା ଜାରି ରହିବ। ତେବେ ପିଲାମାନେ ସ୍କୁଲକୁ ଆସିବା ପୂର୍ବରୁ ମାତାପିତାଙ୍କ ଅନୁମତିି ନେବାକୁ କୁହାଯାଇଛି। ସ୍କୁଲରେ ଉପସ୍ଥାନ ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ବିଭାଗ ଦ୍ୱାରା ଜୁଲାଇ ୧୭ରେ ଜାରି କରାଯାଇଥିବା ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଏଥିସହିତ ନବମ ଶ୍ରେଣୀ ପିଲାଙ୍କ ଛାତ୍ରାବାସ ମଧ୍ୟ ଅଗଷ୍ଟ ୧୭ ତାରିଖରୁ ଖୋଲିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଜୁଲାଇ ୨୬ରୁ ଦଶମ ଓ ଯୁକ୍ତ୨ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇ ଶିକ୍ଷାଦାନ କରାଯାଉଛି। ପରିସ୍ଥିତିକୁ ଦେଖି ପର୍ଯ୍ୟାୟ କ୍ରମେ ଅନ୍ୟ ଶ୍ରେଣୀଗୁଡ଼ିକ ଖୋଲିବା ନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Share