ନିଃଶବ୍ଦ ଘାତକ : ଉଚ୍ଚ ରକ୍ତଚାପ

ରକ୍ତଚାପ କ’ଣ : ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି ‘ବ୍ଲଡପ୍ରେସର’, ସଂକ୍ଷେପରେ ବି.ପି.। ହୃତ୍‌ପିଣ୍ଡ ସଙ୍କୁଚିତ ହେଲେ ତା’ ଭିତର ରକ୍ତ ଧମନୀ ଭିତରକୁ ପିଚ୍‌କି ଯାଏ। ହୃତ୍‌ପିଣ୍ଡ ସଙ୍କୁଚିତ ହୋଇ ରକ୍ତ ପ୍ରେରଣ କଲା ବେଳେ ଧମନୀର ଓ୍ବାଲ୍‌ ବା ପାଚେରିରେ ଯେଉଁ ଚାପ ଅନୁଭୂତ ହୁଏ, ତାହାକୁ କୁହାଯାଏ ‘ସିଷ୍ଟୋଲିକ୍‌ ରକ୍ତଚାପ’। କିନ୍ତୁ ହୃତ୍‌ପିଣ୍ଡ ସଙ୍କୁଚିତ ହେବା ପରେ ଅତି ସ୍ବଳ୍ପ ସମୟ ପାଇଁ ତାହା ଶିଥିଳ ହୋଇ ରହେ। ଏହି ସମୟରେ ମଧ୍ୟ ଅବ୍ୟାହତ ରହିଥାଏ ରକ୍ତ ପ୍ରବାହ ଏବଂ ଧମନୀର ପାଚେରିରେ ସାମାନ୍ୟ ଚାପ ଅନୁଭୂତ ହୁଏ। ଏହି ପ୍ରକାରର ଚାପକୁ କୁହାଯାଏ ‘ଡାୟୋଷ୍ଟୋଲିକ ରକ୍ତଚାପ’ ଏବଂ ଏହା ସିଷ୍ଟୋଲିକ ରକ୍ତଚାପ ଠାରୁ ଊଣା। ସିଷ୍ଟୋଲିକ୍‌ ଚାପ ହେଉଛି ହୃତ୍‌ପିଣ୍ଡ ସଙ୍କୋଚନ ସମୟରେ ସର୍ବାଧିକ ଚାପ ଏବଂ ଡାୟୋଷ୍ଟୋଲକ ଚାପ ହେଉଛି ହୃତ୍‌ପିଣ୍ଡ ଶିଥିଳତା ବା ପ୍ରସାରଣ ସମୟର ସର୍ବନିମ୍ନ ଚାପ।
ଆମ ସମସ୍ତଙ୍କର କ’ଣ ରକ୍ତଚାପ ରହିଛି :  ହଁ, ପିଲା, ବୁଢ଼ା, ନାରୀ, ପୁରୁଷ ସମସ୍ତଙ୍କର ରକ୍ତଚାପ ଅଛି। ଏପରି କି ପ୍ରତ୍ୟେକ ଶିଶୁ ମଧ୍ୟ ନିଜ ରକ୍ତଚାପକୁ ଧରି ଭୂମିଷ୍ଠ ହୋଇଥାଏ। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତିଙ୍କର ରକ୍ତଚାପକୁ ଆମେ ସାଧାରଣ ରକ୍ତଚାପ ବା ‘ନର୍ମାଲ ବ୍ଲଡ ପ୍ରେସର’ ବୋଲି କହିଥାଉ। ଏହା ବଢ଼ିଗଲେ ସେହି ଅସ୍ବାଭାବିକତାକୁ କୁହାଯାଏ ‘ଉଚ୍ଚ ରକ୍ତଚାପ’ ବା ହାଇପର ଟେନ୍‌ସନ୍‌ (‘ହାଇପର’ର ଅର୍ଥ ଅଧିକ ଏବଂ ‘ଟେନ୍‌ସନ୍‌’ର ଅର୍ଥ ଚାପ)। ଶରୀର ସାରା ରକ୍ତ ସଞ୍ଚାଳନ ପାଇଁ ରକ୍ତଚାପ ଅପରିହାର୍ଯ୍ୟ। ରକ୍ତର ଚାପ ଥିବାରୁ ହିଁ ରକ୍ତରେ ଥିବା ଜଳ, ଅମ୍ଳଜାନ ଓ ଖାଦ୍ୟ ଉପାଦାନମାନ ଶରୀରର ସବୁକୋଷରେ ସହଜରେ ପହଞ୍ଚତ୍ଥାଏ।
ରକ୍ତଚାପକୁ ପ୍ରକାଶ କରାଯାଏ କିପରି ରକ୍ତଚାପକୁ ଦୁଇଟି ସଂଖ୍ୟା ଭାବରେ ପ୍ରକାଶ କରାଯାଏ ଓ ଭଗ୍ନାଂଶ ଲେଖିବା ପ୍ରକାରେ ଉପର ଓ ତଳ ରୀତିରେ ଲେଖାଯାଏ। ଏଥିରେ ଉପର ସଂଖ୍ୟାଟି ସିଷ୍ଟୋଲିକ୍‌ ରକ୍ତଚାପ ଏବଂ ତଳ ସଂଖ୍ୟାଟି ଡାୟୋଷ୍ଟୋଲିକ୍‌ ରକ୍ତଚାପ। ରକ୍ତଚାପର ଏକକ ହେଉଛି ମିଲିମିଟର ଅଫ୍‌ ମକ୍ୟୁରୀ (mm of Hg)। ଉଦାହରଣସ୍ବରୂପ ୧୨୦/୮୦ ଏମ୍‌ଏମ୍‌ ଅଫ୍‌ ଏଚ୍‌ଜି ବୋଲି ଲେଖିଲେ ସିଷ୍ଟୋଲିକ୍‌ ରକ୍ତଚାପ ହେଉଛି ୧୨୦ ଏବଂ ଡାୟୋଷ୍ଟୋଲିକ ରକ୍ତଚାପ ହେଉଛି ୮୦ ଏମ୍‌ଏମ୍‌ ଅଫ୍‌ ଏଚ୍‌ଜି। ୧୮ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତିଙ୍କର ସିଷ୍ଟୋଲିକ ଓ ଡାୟୋଷ୍ଟୋଲିକ ରକ୍ତଚାପ ହେଉଛି ୮୦ ଏମ୍‌ଏମ୍‌ ଅଫ୍‌ ଏଚ୍‌ଜି।
୧୮ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କର ସିଷ୍ଟୋଲିକ୍‌ ଓ ଡାୟୋଷ୍ଟୋଲିକ୍‌ ରକ୍ତଚାପ ଯଥାକ୍ରମେ ୧୨୦ରୁ କମ୍‌ ଓ ୮୦ରୁ କମ୍‌ ରହିଥିଲେ ତାହା ସାଧାରଣ ରକ୍ତଚାପ ବା ନର୍ମାଲ ବ୍ଲଡ ପ୍ରେସର। ଏହା ଯଥାକ୍ରମେ ୧୨୦ରୁ ୧୩୯ ଏବଂ ୮୦ରୁ ୮୯ ମଧ୍ୟରେ ରହିଥିଲେ ତାହା ପ୍ରାକ୍‌ ଉଚ୍ଚ ରକ୍ତଚାପ ଅବସ୍ଥା ବା ପ୍ରିହାଇପରଟେନ୍‌ସନ୍‌। ମାତ୍ର ଏହା ଯଥାକ୍ରମେ ୧୪୦ରୁ ବେଶି ଏବଂ ୯୦ରୁ ବେଶି ରହିଥିଲେ ତାହା ଉଚ୍ଚ ରକ୍ତଚାପ ବା ‘ହାଇପରଟେନ୍‌ସନ୍‌’। ଏହି ପରିପ୍ରେକ୍ଷୀରେ ଦେଖିଲେ ରକ୍ତଚାପ ୧୨୦/୮୦ ମିଲିମିଟର ଅଫ୍‌ ମକ୍ୟୁରୀରୁ ବେଶି ରହିଥିଲେ ତାହା ଆଦୌ ନିରାପଦ ନୁହେଁ।
କେଉଁ କେଉଁ କାରକ ରକ୍ତଚାପକୁ ପ୍ରଭାବିତ କରିଥାନ୍ତି
-ବାପା କିମ୍ବା ମା’ ଉଭୟ ଉଚ୍ଚ ରକ୍ତଚାପ ରୋଗୀ ହୋଇଥିଲେ ସନ୍ତାନମାନେ ଉଚ୍ଚ ରକ୍ତଚାପ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ବେଶି।
-ବୟସ ବଢ଼ିଲେ ରକ୍ତଚାପ କିଛି ମାତ୍ରାରେ ବଢ଼ିପାରେ। ତେବେ ୪୫ରୁ ୬୦ ବର୍ଷ ବୟସ ଏହି ରୋଗ ପାଇଁ ସମ୍ବେଦନଶୀଳ ବୟସ। ଶିଶୁ ଓ କିଶୋରୀକିଶୋରମାନଙ୍କଠାରେ ମଧ୍ୟ ରକ୍ତଚାପ ବଢ଼ିପାରେ।
-ସୁସ୍ଥ ପୁରୁଷମାନଙ୍କ ତୁଳନାରେ ସୁସ୍ଥ ମହିଳାମାନଙ୍କ ରକ୍ତଚାପ ସାମାନ୍ୟ ଊଣା। ଠିଆ ହେବା ଭଙ୍ଗୀରେ ସିଷ୍ଟୋଲିକ୍‌ ଚାପ ଟିକିଏ କମ୍‌ ଏବଂ ଡାୟୋଲୋଷ୍ଟିକ ଚାପ ଟିକିଏ ବେଶି। ବିଛଣାରେ ଶୋଇ ରହିବା ଅବସ୍ଥାରେ ଡାୟୋଷ୍ଟୋଲିକ୍‌ କମ୍‌ ଓ ସିଷ୍ଟୋଲିକ୍‌ ବେଶି।
-ବ୍ୟାୟାମ କରୁଥିବା ବେଳେ ରକ୍ତଚାପ ବଢ଼ିଯାଏ ଏବଂ ବ୍ୟାୟାମ ବନ୍ଦ କରିଦେଇ ବିଶ୍ରାମ ନେଲେ ରକ୍ତଚାପ ତାହାର ପୂର୍ବ ଅବସ୍ଥାକୁ ଫେରିଆସେ।
-କ୍ରୋଧ, ବିରକ୍ତି, ବିଷାଦ, କଳହ, ଅଶାନ୍ତି ଓ ଅସ୍ବାଭାବିକ ମାନସିକ ଚାପ ରକ୍ତଚାପକୁ ବଢ଼ାଇ ଦିଏ।
-ଶରୀରରେ ଚର୍ବି ଜମି ମେଦବହୁଳତା ପ୍ରକାଶ ପାଇଲେ ରକ୍ତଚାପ ବଢ଼ିଯାଇ ପାରେ।
-ନିୟମିତ ଭାବରେ ଅଧିକ ପରିମାଣର ଲୁଣ, ଲହୁଣି, ଘିଅ, ବନସ୍ପତି, ଅନ୍ୟାନ୍ୟ ତେଲ, ମଦ, ପଶୁ ମାଂସ ବିଶେଷଭାବରେ ଚର୍ବି ଲାଗିଥିବା ମାଂସ ଖାଇଲେ ରକ୍ତଚାପ ବଢ଼ିଯିବାର ଆଶଙ୍କା ଅଧିକ। ବେଶି ପରିମାଣର ଫାଷ୍ଟଫୁଡ୍‌ ଏବଂ ମିଠା ଖାଇଚାଲିଲେ ମେଦବହୁଳତା ହୋଇ ରକ୍ତଚାପ ବଢ଼ାଏ। ଏକ ଆକଳନରୁ ଜଣାପଡିଛି ଯେ, ପୃଥିବୀରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ପାଖାପାଖି ୧୦୦ କୋଟି ୩୦ ଲକ୍ଷ। ଏମାନଙ୍କ ମଧ୍ୟରେ କେବଳ ଭାରତରେ ରହିଛନ୍ତି ୨୨ କୋଟି। ଏଭଳି ରୋଗୀଙ୍କ ସଂଖ୍ୟା ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ କମ୍‌।
ଲକ୍ଷଣ : ଜାଣି ରଖନ୍ତୁ ଯେ, ରକ୍ତଚାପ ଅଧିକ ଥିବା ସତ୍ତ୍ୱେ କୌଣସି ଲକ୍ଷଣ ପ୍ରକାଶ ପାଉ ନ ଥିବା ଅତି ସାଧାରଣ। ତେଣୁ ଉଚ୍ଚ ରକ୍ତଚାପକୁ କୁହାଯାଏ ନିଃଶବ୍ଦ ଘାତକ (sailent killer) ବା ନୀରବ ଘାତକ। ତେବେ ରକ୍ତଚାପର ମାତ୍ରା ବେଶି ବଢ଼ିଗଲେ ମୁଣ୍ଡ ବଥାଏ, ମୁଣ୍ଡ ଘୂରାଇପାରେ, ନାକରୁ ରକ୍ତ ପଡ଼ିପାରେ, ଆଖିକୁ ଜାଳୁଜାଳୁଆ ଦେଖାଯାଇପାରେ, କାନରେ ସେଁ ସେଁ ଶବ୍ଦ ଶୁଣାଯାଇପାରେ। କାହା କାହାଠାରେ ଅନୁଭୂତ ହୋଇପାରେ ଶ୍ୱାସକଷ୍ଟ।
କେଉଁ କେଉଁ ଜଟିଳତା ପ୍ରକାଶ ପାଇପାରେ : ରକ୍ତଚାପ ବେଶି ରହିଲେ ହୃଦ୍‌ ରକ୍ତନଳୀ ଆକ୍ରାନ୍ତ ହୋଇ ହୋଇପାରେ ହାର୍ଟ ଆଟାକ୍‌। ହୋଇପାରେ ହାର୍ଟ ଫେଲ୍ୟୁୟର। ମସ୍ତିଷ୍କର ରକ୍ତନଳୀ ଫାଟିଯାଇ ମସ୍ତିଷ୍କ ଭିତରକୁ ରକ୍ତସ୍ରାବ ହୋଇପାରେ; ଫଳରେ ଜାତ ହୋଇପାରେ ବ୍ରେନ୍‌ ଆଟାକ ବା ଷ୍ଟ୍ରୋକ୍‌ ଏବଂ ପାରାଲିସିସ। ଚକ୍ଷୁ ଭିତରକୁ ରକ୍ତସ୍ରାବ ହୋଇ ଦୃଷ୍ଟିଶକ୍ତି ହାନି ହୋଇପାରେ। ପ୍ରକାଶ ପାଏ କ୍ରନିକ କିଡ୍‌ନୀ ଡିଜିଜ ବା ଦୀର୍ଘକାଳୀନ ବୃକ୍‌କ ରୋଗ ଓ ତଜ୍ଜନିତ ରେନାଲ ଫେଲ୍ୟୁୟର। ଘଟିପାରେ ସ୍ମୃତିହାନି ତଥା ଏକାଗ୍ରତାହାନି। (କ୍ରମଶଃ..)
ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩, ଅଭିନବ ବିଡ଼ାନାସୀ, କଟକ-୧୪
ମୋ : ୯୪୩୭୭୬୬୧୧୭

Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଣ୍ଣିମ ପ୍ରକ୍ଷେପଣ ପଛରେ ବିଜ୍ଞାନ

ଜାଭେଲିନ ଆମ ଦେଶର ଏକ ପାରମ୍ପରିକ ଖେଳ। ଜାଭେଲିନକୁ ଆମ ଦେଶରେ ସାଧାରଣତଃ ବର୍ଛା କିମ୍ବା ଭାଲ୍ଲା ବୋଲି କୁହାଯାଏ। ପୂର୍ବେ ରାଜା ମହାରାଜାମାନେ ଅବସର...

ଚା’ ପିଉଛନ୍ତି କି? ରୁହନ୍ତୁ ସତର୍କ ନଚେତ୍‌ ଭୋଗିବେ ଏସବୁ ସମସ୍ୟା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ...

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ।...

ନିୟମିତ ଯୋଗ କରୁଥିଲେ ଏସବୁ ସମସ୍ୟାରୁ ମିଳିବ ମୁକ୍ତି

ଶରୀରକୁ ସୁସ୍ଥ ତଥା ନୀରୋଗ ରଖିବାକୁ କିଏ ବା ନ ଚାହେଁ? ଏଥିପାଇଁ ନିୟମିତ ବ୍ୟାୟାମ ନିଶ୍ଚୟ କରୁଥିବେ। ତେବେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ...

ବିଳମ୍ବରେ ଉଠୁଥିଲେ ହୋଇଯାନ୍ତୁ ସାବଧାନ: ହୋଇପାରେ…

କେତେକ ବ୍ୟକ୍ତିଙ୍କର ଏକ ଅଭ୍ୟାସ ରହିଛି। ସେମାନେ ପ୍ରାୟ ବିଳମ୍ବରେ ଶୁଅନ୍ତି ଏବଂ ବିଳମ୍ବରେ ଉଠନ୍ତି। ତେଣୁ ଏହାଦ୍ୱାରା ଶାରୀରିକ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା...

ହାର୍ଟ ପାଇଁ ଉପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ତେବେ ଏହାର ଭଲ ଗୁଣ ତାଲିକାରେ ଆଉ ଏକ କଥାକୁ ନିକଟରେ ଯୋଡ଼ାଯାଇଛି। ଏହାକୁ ଖାଇବା...

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri