Posted inଫୁରସତ

ସ୍ବାଧୀନତା… ଜନ୍ମଗତ ଅଧିକାର

ନାକୁଆଟା ନାକରା ପିଲା ନୁହଁ, ମାତ୍ର ତା’ ନାକ ଅଗରେ ରାଗ l ସିଏ ଯାହା ବୁଝିଥିବ ସେଇଆ l ତା’ କଥା ଉପରେ କିଏ କଥା କହିଲେ, ତା’ର ମଥା ବିନ୍ଧେ l ମନ୍ଦଗୁଣ ବାଛିଲେ… ମୁଣ୍ଡକୁ ପିତ୍ତ ଚଢ଼େ l ସେ ଗୁରୁ, ଗୁରୁଜନ ହୁଅନ୍ତୁ କି ଆଉ କେହି, ତା’ ଇଚ୍ଛା ବିରୁଦ୍ଧରେ ଗଲେ କି କୋଉ କାମରେ ଅଟକେଇଲେ.. ପାଚିଲା ନାଲି ଲଙ୍କା ପ୍ରାୟେ ତା ଗାଲ ଲାଲ ଦେଖାଯାଏ l ଯେବେଠୁ ଜଣେ ମାନ୍ୟଗଣ୍ୟ ନେତୃସ୍ଥାନୀୟ ବ୍ୟକ୍ତିଙ୍କଠୁ ଶୁଣିଲାଣି.. ସ୍ବାଧୀନତା ଆମର ଜନ୍ମଗତ ଅଧିକାର, ସେବେଠୁ ଏମିତି ସଦ୍‌ଗୁଣ ପଶିଯାଇଛି ତା’ ଅନ୍ତର ଭିତରେ ଆଉ ବଦଳିଯାଇଛି ବ୍ୟବହାର। ବୁଝିଛି ଯେ ତାକୁ ଏଇ ଅଧିକାରରୁ କେହି ବେଦଖଲ କରିପାରିବେନି l ସ୍ବାଧୀନ ଭାବେ ଆପଣା ଇଚ୍ଛା ମୁତାବକ ଚଳିବା ହିଁ ଅସଲ ମଣିଷପଣିଆ। ତା’ କର୍ମ କି ଚିନ୍ତାକୁ କେହି ଯଦି ବେଠିକ୍‌ କି ବେନିୟମ ବୋଲି କହିଲେ, ତେବେ ଘର ହେଉ କି ବାହାର, ଜାଣ ଅକାଳରେ ପ୍ରଳୟକୁ ଆମନ୍ତ୍ରଣ କଲେ! ସ୍ବାଧୀନତା ତା’ର ଜନ୍ମଗତ ଅଧିକାର.. ଏଇ କଥାକୁ ସାବ୍ୟସ୍ତ କରିବାକୁ ଯାଇ ତା’ ନାଁରେ ଗଦା ଗଦା ମାର୍‌ପିଟି ମାମଲା ଥାନାରେ ତାଲିକାଭୁକ୍ତ ହୋଇସାରିଛି l ଅନେକବାର ଫାଇନ୍‌ ଭରି କେତେ କେସ୍‌ ଫାଇନାଲ କରେଇଛି l ତଥାପି ସ୍ବାଧୀନତା ତା’ ଜନ୍ମଗତ ଅଧିକାର ନୀତିକୁ ଜାବୁଡ଼ି ଧରିଛି l ତା ପାଇଁ ଖାଦ୍ୟ-ଅଖାଦ୍ୟ, ସୁକର୍ମ-କୁକର୍ମ, ଭାଷା-ଅଭାଷା ସବୁ ସମାନ l ଯେହେତୁ ସେ ସ୍ବାଧୀନ, ମନଚାହୁଁଛି ତ ଖାଇଯିବ! ସେଥିରେ ପୁଣି ଆମିଷ-ନିରାମିଷ.. ତିଥି ବାର ବିଚାର କ’ଣ ଦର୍କାର? ଯାହା ମନକୁ ଆସୁଛି ସ୍ବାଧୀନ ଭାବରେ କହିବା! ସେଥିପାଇଁ ଶୀଳ-ଅଶ୍ଳୀଳ, ଗୁରୁଜନ -ଲଘୁଜନ ଭାବିବା କି ଆବଶ୍ୟକ? ସୁକାର୍ଯ୍ୟ-କୁକାର୍ଯ୍ୟ ଏମିତି ବିଚାରକରି ଚଳିଲେ ନିଜ ଇଚ୍ଛା ଆଉ ମନକୁ ବାଡ଼ବତା ଦେଇ ବାନ୍ଧିଲେ କି ସ୍ବାଧୀନତା? ସେ ଭଲ ଭାବରେ ବୁଝିଛି ଯେ, ମନ ଚାହୁଁଥିବା ଇନ୍ଦ୍ରିୟଭୋଗ ଇଚ୍ଛାକୁ ଚରିତାର୍ଥ କରିବା ସ୍ବାଧୀନତା ! ସେଥିରୁ ନିବୃତ୍ତ ହେବା.. ପରାଧୀନତା! ସେ କଥା କହିବାରେ ଓସ୍ତାଦ୍‌ l ଏମିତି ତର୍କକରି ବୁଝେଇବ ଯେ, ଆଛା ଆଛା ବିଜ୍ଞଜନଙ୍କ କଛା ଖୋଲିଦେବ.. ପାଟି ବନ୍ଦ ହୋଇଯିବ! ଅନୀତିଆ କଥା ଯେତେ, ସେସବୁ ନୀତିଗତ ବୋଲି ଧାରଣା ଜାତ ହେବ l କିନ୍ତୁ କିଛି ଅବୁଝା ପଣ୍ଡିତ, ନାହାକଙ୍କ ପରି ଗଣନାକରି କୁହନ୍ତି, ନାକୁଆର ନର୍କଗତି ଅଲ୍‌ବତ ହେବ!
ଏ ସଂସାରରେ ନାକୁଆ ଏକା ନୁହଁ, ବରଂ ତା’ ସମଗୁଣୀ ପୁଅ ଝିଅ ଅନେକ ଅଛନ୍ତି l ଯେଉଁମାନେ ନିତ୍ୟ ନୂତନ କର୍ମକରି ଓ କରେଇ କୁଆଡ଼େ ହାଇଲାଇଟ୍‌ ହୁଅନ୍ତି, ରିଲ୍‌ କରି-ଭାଇରାଲ ହେବାକୁ ଭଲପାଆନ୍ତି l ହଉ ସେ କଥା ଛାଡ଼, ଆଗକୁ ପଢ଼ନ୍ତୁ!

ଏଇ କେଇବର୍ଷ ହେଲା ଗୋଟେ ସ୍ବାଧୀନ ଚିନ୍ତାଧାରୀୟ ପର୍ବ ଆମ ଦେଶରେ ଖୁବ୍‌ ଆସ୍ଥା ଜମେଇ ଯୁବଗୋଷ୍ଠୀଙ୍କୁ ମତୁଆଲା କରିଛି। ଭାରି ଭଲ କଥା l ଏଇ ପରବ ଦିନେ କି ଓଳିଏ ନୁହଁ, ପୂରା ହପ୍ତାଏ ଯାଏଁ ଉଛୁଳା ପ୍ରେମର ଛନ୍ନଛନିଆଁ ମନରେ ପାଳନ ହେଉଛି l ଏମିତିକା ମଉକାକୁ ନାକୁଆ ଭଳିଆ ଟୋକା କି ଛାଡ଼େ? ନା, ଜମା ନୁହେଁ l ତେଣୁ ଏଇ ଇମ୍ପୋର୍ଟେଡ୍‌ ପର୍ବ ଆରମ୍ଭରୁ ସାତଦିନ ଯାଏଁ..ତା’ର ଅଧ ଡଜ୍ଜନରୁ ଅଧିକ ଗର୍ଲଫ୍ରେଣ୍ଡ୍ସଙ୍କୁ ସମବିଚାରରେ ସମସ୍ତଙ୍କୁ ସମୟାନୁସାରେ ସମୟଦିଏ। ପ୍ରପୋଜ୍‌ କରିବା ଆଗରୁ ଚକୋଲେଟ୍‌ ଦେଇ ପରେ ରୋଜ୍‌, କିସ୍‌, ଟେଡି ଦେଇ ହଗ୍‌-ହଗା କରେଇ, ଫେବୃଆରୀ ଚଉଦରେ ଫାଇନାଲ ମ୍ୟାଚ୍‌ ଖେଳିବାକୁ ସବୁଠୁ ମନପସନ୍ଦିଆ ସୁନ୍ଦରୀ ତରୁଣୀ -ପ୍ରେମିକା ଶିରୋମଣି ନୀତୁରାଣୀକୁ ସାଙ୍ଗରେ ଧରି ସହରଠୁ ଦୂର ଗୋଟେ ପାହାଡ଼ିଆ ଝରଣା ଜଙ୍ଗଲ ଥିବା ଜାଗାକୁ ଚାଲିଗଲା l ଏଇ ବିଦେଶୀ ପର୍ବର ବିଧି ଅନୁସାରେ ରୋମାନ୍ସ -ଏନ୍‌ଜୟ କରିବା ଆଗରୁ ଭଲକି ବିଦେଶୀ ପାନୀୟ ତଥା ଚିକେନ୍‌ ପକଡ଼ାଦିରେ କ୍ଷୁଧା ନିବାରଣାନ୍ତେ, ଅନ୍ତର୍ମନ ତୃପ୍ତିସାଧନ ପାଇଁ ଉଭୟେ ପାହାଡ଼ ଶିଖରକୁ ଉଠି, ଝରଣାକୁ କରି ପିଠି କିଛି ସେଲ୍ଫି ନେବା ଓ ରିଲ୍‌ ବନେଇବା ନିହାତି ଜରୁରୀ ମନେକଲେ l ତା ଆଗରୁ ନାକୁଆ ନିଜକୁ ପ୍ରେମିକରାଜା ସଜେଇବାକୁ ଭାବି, ତା ଗାଡୁଆ ଆଖି ହାଡୁଆ ଦେହରୁ ଶାର୍ଟ କାଢି.. ମୁକୁଟପ୍ରାୟେ ମୁଣ୍ଡରେ ଦେଲା ଭିଡ଼ି l ଖାଡ଼ିଆ ବଡି ଦେଖେଇ କହିଲା.. ନୀତୁ! ଜାଣିଛ… ଏଇଟା ବୃସଲି ଚେହେରା.. ଷ୍ଟାମିନା ଭର୍ତ୍ତି l ନୀତୁ କହିଲା.. ହଁ ପରା, ତମ ଟଳମଳ ପାଦ ଆଉ ପଞ୍ଜରା ହାଡ଼ ହିଁ ତା’ର ପ୍ରମାଣ! ହଉ ଏଥର ସେଲ୍ଫି ପାଇଁ ପୋଜ୍‌ ଦେବାକୁ କହି ଉଭୟେ ଅଣ୍ଟାକୁ ଆଣ୍ଟକରି ଗୋଟାଏ ହାତରେ ଧରି, ମୁଖ ବିକୃତିକରି ଠିକ୍‌ ମୋବାଇଲରେ କ୍ଲିକ୍‌ କରୁକରୁ ଏଇ ସ୍ବାଧୀନଚେତା ନୀତୁ ଓ ନାକୁଆଙ୍କୁ ଭାଲେଣ୍ଟାଇନିଆ ଦିଅଁ ତୁରନ୍ତ ଫଳ ଦେଇଦେଲେ l ପାହାଡ଼ ଉପରୁ ତଳେଥିବା ଆବଡ଼ା ଖାବଡ଼ା ପଥରରେ ଭଲକି ପିଚା ଛେଚେଇ, ଦୀର୍ଘଦିନ ଉଭୟକୁ ସମଫଳ ଦେଇ ସମାନ ମେଡିକାଲରେ ସମାନ କୋଠରିରେ ବିଶ୍ରାମ ଓ କଥୋପକଥନ ସହ ଭାବର ଆଦାନ-ପ୍ରଦାନର ଅପୂର୍ବ ସୁଯୋଗ ଦେଲେ l

ଏସବୁ ଭାଲେଣ୍ଟାଇନିଆ ଦିଅଁଙ୍କ ପ୍ରତି ଥିବା ପ୍ରବଳ ଭକ୍ତି ଯୋଗୁ ସିନା ସମ୍ଭବହେଲା!
ସନ୍ନ୍ୟାସୀଙ୍କ ସମାଧି-ଧ୍ୟାନଭଗ୍ନ ହେଲାପରି ନାକୁଆର ଦି’ ଦିନ ପରେ ପ୍ରେମରାଜ୍ୟରୁ ଅବତରଣ ହେଲା। ଚେତା ଫେରିଲା। ଆଖିଖୋଲି ଦେଖିଲା.. ପିଲାରୁ ମଣିଷ କରିବାକୁ କାଖରେ ତୋଳିଧରୁଥିବା ବାପା-ମାଆ ପାଖରେ ଠିଆ l ତାଙ୍କ ପଛରେ ତା ପିଲାବେଳର ସାଙ୍ଗ ବିବେକ.. ତାକୁ ଚାହିଁଛି l ତା’ର ସ୍ବାଧୀନ ଦେହ ହାତଗୋଡ଼ ଧଳା କପଡ଼ାରେ ବନ୍ଧନ, ସେ ଡାକ୍ତରଙ୍କ ଅଧୀନ। ଚେତା ଫେରିବା ଦେଖି ବାପା-ମା’ଙ୍କ ଖୁସି କହିଲେ ନ ସରେ। ଏହି ସମୟରେ ବିବେକ ତାଙ୍କୁ ନିତ୍ୟକର୍ମ ସାରିବାକୁ ଜୋର୍‌ କରେଇ ପଠେଇଦେଲା l ନାକୁଆକୁ କହିଲା.. କିରେ! ତୋ ଜନ୍ମଗତ ସ୍ବାଧୀନତା ଏବେ କୁଆଡ଼େଗଲା ? ତୁ କ’ଣ ଏବେ ସ୍ବାଧୀନଭାବରେ ବୁଲିବାକୁ ଯାଇପାରିବୁ ନା ମନଇଚ୍ଛା ଖାଇପିଇ ଏନ୍‌ଜୟ କରିପାରିବୁ? ତୁ ସ୍ବାଧୀନବୋଲି ନିଜକୁ ଘୋଷଣାକରି, ତୋ ମନ ଇନ୍ଦ୍ରିୟ -ପଶୁ ପ୍ରବୃତ୍ତିର ଦାସହୋଇ ଏମିତିକା ପରାଧୀନ ହୋଇଗଲୁ ଯେ, ଏବେ ତୁ ତୋ ସେଇ ସ୍ବାଧୀନତା.. ମେଡିକାଲ ଖଟିଆରେ ଶୋଇ ପାଳନ କରୁଥା! ନାକୁଆ ଆଖିରେ ଲୁହ ଦେଖି ବିବେକ କହିଲା.. ତୁ ଯଦି ବିବେକ ଅନୁସାରେ କାମ କରିଥାନ୍ତୁ। ସାଧୁ, ଗୁରୁ, ଗୁରୁଜନଙ୍କ ଅଧୀନରେ ରହିଥାନ୍ତୁ, ଆଜି ଏଇ ଅବସ୍ଥା ହୋଇ ନ ଥାନ୍ତା! ତୁ ଖାଦ୍ୟ ଖାଇନୁ, ତାହା ତୋତେ ଖାଇଛି l ନିଶା ତୋ ଜୀବନ ଶୋଷିନେଉଛି। ତୁ ଉପଭୋଗ କରିନୁ, ବରଂ ଉପଭୋଗିତ ହୋଇଛୁ l ହଉ ଛାଡ଼, ତତେ ମୁଁ କିଏ ଏମିତି କହି ତୋ ସ୍ବାଧୀନ ମନକୁ ଆଘାତଦେବାକୁ? ହଉ, ମୁଁ ଆସୁଛି l ବିବେକ ଯାଉଯାଉ, ତା ହାତକୁ ବଡ଼କଷ୍ଟରେ ଟାଣି ଅଟକେଇ କାନ୍ଦୁକାନ୍ଦୁ ନାକୁଆ ଦେଖିଲା ଆରପଟେ ନୀତୁ ତାକୁ ଚାହିଁଛି l ନାକୁଆ ତାକୁ କହୁଥିଲା… ତୁ ଚିନ୍ତାକରନା ନୀତୁ l ଆମେ ଅତିଶୀଘ୍ର ଭଲ ହୋଇଯିବା l ଆରବର୍ଷ ଆଉ ବାଲାନ୍ସ ଫେଲ୍‌ ନ କରି ଫୁଲ୍‌ ରୋମାନ୍ସ କରିବା l ବିବେକ ଦୁହିଙ୍କ ମୁହଁକୁ ଖାଲି ବଲ ବଲ ହୋଇ ଚାହିଁଥିଲା!
-ମଙ୍ଗରାଜପୁର, ପୁରୀ
ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri