ଜୀବନ ପାଣିଫୋଟକା

ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ନିବେଶକୁ ଉତ୍ସାହିତ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଉପତ୍ାଦନର ପ୍ରମୁଖ ଭୂମିକାରେ ଥିବା ଶ୍ରମିକମାନଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ଅର୍ଥିକ ଦିଗକୁ ଅଣଦେଖା କରାଯିବାର ଖବର ସାମ୍ନାକୁ ଆସୁଛି। ବିଶେଷକରି ନିୟମିତ ବ୍ୟବଧାନରେ ବିଭିନ୍ନ ଶିଳ୍ପକେନ୍ଦ୍ରରେ ଦୁର୍ଘଟଣା ଯୋଗୁ ଶ୍ରମିକ ମୃତାହତ ହେବା ଚିନ୍ତାର ବିଷୟ। ୨୦୨୧ରେ ରାଉରକେଲା ଇସ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୪ ଜଣ ଶ୍ରମିକଙ୍କ ମୃତ୍ୟୁ, ୨୦୨୩ରେ ସୁନ୍ଦରଗଡ଼ର ଶୁଭ ଇସ୍ପାତ ପ୍ରାଇଭେଟ୍‌ ଲିମିଟେଡ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଓ ୨ ଆହତ ହେବା ପ୍ରାୟ ସମସ୍ତଙ୍କର ମନେଅଛି। ଚଳିତ ସପ୍ତାହ ଅର୍ଥାତ୍‌ ୨୪ ଜୁନ ୨୦୨୪ରେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଝାଡ଼ବନ୍ଧ ଗ୍ରାମରେ ଥିବା ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌ କାରଖାନାର ମେକାନିକାଲ ଷ୍ଟ୍ରକ୍‌ଚର ଭୁଶୁଡ଼ି ୨ ଶ୍ରମିକଙ୍କର ମୃତ୍ୟୁ ହେବା ସହ ୨ ଗୁରୁତର ଆହତ ହୋଇଛନ୍ତି। ଓଡ଼ିିଶା ବିଧାନସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ୨୦୧୯ରୁ ୨୦୨୨ ମଧ୍ୟରେ ବିଭିନ୍ନ କଳକାରଖାନା ଦୁର୍ଘଟଣାରେ ୧୩୭ ଶ୍ରମିକଙ୍କ ମୃତ୍ୟୁ ହେବା ସହ ୧୩୨ ଜଣ ଆହତ ହୋଇଥିଲେ। କେନ୍ଦ୍ର ସରକାରଙ୍କ ତଥ୍ୟ ଦର୍ଶାଏ, କାରଖାନା ଦୁର୍ଘଟଣାରେ ଭାରତରେ ଦିନକୁ ହାରାହାରି ୩ ଜଣଙ୍କର ମୃତ୍ୟୁ ହେଉଛି। ଦେଖିବାକୁ ଗଲେ ରାଜ୍ୟରେ ବିଭିନ୍ନ କଳକାରଖାନା ସମେତ କ୍ରଶର, ପଥର ଖାଦାନ, ଖଣି ଖନନ, ନିର୍ମାଣ, ଇଟାଭାଟି ଭଳି ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନେ ଦୁର୍ଘଟଣାରେ ମୃତାହତ ହେଉଛନ୍ତି।
ଏଭଳି ଦୁର୍ଘଟଣା ପଛରେ ଅନେକ କାରଣ ରହିଛି। ଶ୍ରମିକମାନେ ନିଜ ସୁରକ୍ଷା ପାଇଁ ଯତ୍ନବାନ ନୁହନ୍ତି। ଭାରତରେ ଏହା ଏକ ଚିରାଚରିତ ସମସ୍ୟା। ମଣିଷ ଜୀବନର କୌଣସି ମୂଲ୍ୟ ଏହି ଦେଶରେ ପୂର୍ବରୁ ନ ଥିଲା କି ଆଜି ମଧ୍ୟ ନାହିଁ। ଉଦାହରଣ ସ୍ବରୂପ ଜୁନ ୧୭ ତାରିଖରେ କାଞ୍ଚନଜଙ୍ଗା ରେଳ ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ସେମାନଙ୍କ ବିଷୟରେ କୌଣସି ତଥ୍ୟ ଦେଶବାସୀ ଜାଣିନାହାନ୍ତି। ଅର୍ଥାତ୍‌ ସେହି ସବୁ ମୃତ ଯାତ୍ରୀଙ୍କ ଜୀବନର କୌଣସି ମୂଲ୍ୟ ଥିଲା ଭଳି ଏ ଜାତି ଭାବେ ନାହିଁ। ଯେଉଁ ପରିବାରର ବ୍ୟକ୍ତି ମୃତ୍ୟୁର ସମ୍ମୁଖୀନ ହୁଏ, କେବଳ ସେହି ପରିବାର ସେଥିପାଇଁ ବ୍ୟସ୍ତ ହୁଏ। କିନ୍ତୁ ଯେହେତୁ ସାମାଜିକ ସ୍ତରରେ ଏହିସବୁ ଦୁର୍ଘଟଣା ପ୍ରତି କେବେହେଲେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଏନାହିଁ, ସେଥିପାଇଁ ସରକାର ମଧ୍ୟ ଦୀର୍ଘମିଆଦୀ ସମାଧାନ ଖୋଜିବା ଲାଗି ଚିନ୍ତା କରେ ନାହିଁ। ଭାବିବାକୁ ଗଲେ କାଞ୍ଚନଜଙ୍ଗା ଏକ୍ସପ୍ରେସ, ବାହାନଗା ଟ୍ରେନ ଦୁର୍ଘଟଣା ଭଳି ବିରାଟକାୟ ଦୁର୍ଘଟଣା ଏବଂ ଅନେକଙ୍କ ମୃତ୍ୟୁଠାରୁ ଆରମ୍ଭ କରି ପ୍ରତ୍ୟେକ ଦିନ ଭାରତର ବିଭିନ୍ନ କଳକାରଖାନାରେ ସୁସ୍ଥସବଳ ଲୋକଙ୍କର ଅକାଳ ବିୟୋଗ ଘଟିବାରେ ଲାଗିଛି। ଯେଉଁମାନେ ମୂଲ ଲାଗି ରୋଜଗାର କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ତାଙ୍କ ପଛରେ ଥିବା ଗୋଟିଏ ପରିବାରର ଦାୟିତ୍ୱ ବହନ କରୁଥିବେ। ସେହି ରୋଜଗାର କରୁଥିବା ବ୍ୟକ୍ତିର ମୃତ୍ୟୁପରେ ତାଙ୍କର ପରିବାର ତଳିତଳାନ୍ତ ହୋଇଯାଇଥାଆନ୍ତି। ସାଧାରଣ ଭାରତୀୟଙ୍କ ଚରିତ୍ର ହେଉଛି ସମସ୍ୟା ନିଜ ମୁଣ୍ଡ ଉପରେ ପଡ଼ି ନ ଥିବା ହେତୁ ସେହି ସମସ୍ୟା କାହାରି ଆଖିକୁ ଦେଖାଯାଏ ନାହିଁ। ତେଣୁ ଇସ୍ପାତ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କଠାରୁ ଆରମ୍ଭ କରି ବଡ଼ ଅଟ୍ଟାଳିକା ନିର୍ମାଣ କରୁଥିବା ମିସ୍ତ୍ରିର ଜୀବନ ପାଣିଫୋଟକା ଭଳି। ସକାଳୁ ଜଳଖିଆ ଖାଇ ଘରୁ ବାହାରିଲାବେଳକୁ ଜଣା ନଥାଏ ସନ୍ଧ୍ୟାରେ ପୁନର୍ବାର ଘରକୁ ଫେରିବେ କି ନାହିଁ। ଏଭଳି ପ୍ରଚ୍ଛଦପଟରେ ସୁଧାର ଆଣିବାକୁ ହେଲେ କେବଳ ଆଇନ ପ୍ରଣୟନ ଯଥେଷ୍ଟ ହେବ ନାହିଁ। ଯେଉଁସବୁ ସରକାରୀ ସଂସ୍ଥାକୁ ଶ୍ରମିକ ସୁରକ୍ଷା ସମ୍ପନ୍ଧୀୟ ଦାୟିତ୍ୱ ଦିଆଯାଇଛି, ତାହାର ତଳତଳିଆ କର୍ମଚାରୀମାନେ ଅଳ୍ପ କିଛି ଅର୍ଥ ହାସଲ କରି ବଡ଼ ବିପଦ ପ୍ରତି ଦୁଆର ଖୋଲି ଦେଇଥାଆନ୍ତି। ଯେଉଁ ପର୍ଯ୍ୟନ୍ତ ଦୁର୍ଘଟଣା ଘଟି ନ ଥାଏ, ସେ ପର୍ଯ୍ୟନ୍ତ ସବୁକିଛି ସୁରୁଖୁରୁରେ ଚାଲିଥାଏ। ସେହିସବୁ କନିଷ୍ଠ ସରକାରୀ କର୍ମଚାରୀମାନେ ଭଲ ଦୁଇ ପଇସା ମଧ୍ୟ ରୋଜଗାର କରିଚାଲିଥାନ୍ତି। ଯେତେବେଳେ ଦୁର୍ଘଟଣା ଘଟେ, ସେତେବେଳେ ମାନ୍ଦା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ଯାହାର କୌଣସି ପ୍ରଭାବ ପଡ଼େନାହିଁ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ପରିସ୍ଥିତିରେ ପରିବର୍ତ୍ତନ ଆସେନାହିଁ। ଏଥିସହିତ ଯୋଡ଼ି ହୋଇଯାଏ ଶ୍ରମିକ ଜୀବନର ବେପରୁଆ ଆଭିମୁଖ୍ୟ। ସଡ଼କ, ରେଳ ଏବଂ ଶିଳ୍ପ ଦୁର୍ଘଟଣାରୁ ଆରମ୍ଭ କରି ଟ୍ୟୁବ୍‌ଓ୍ବେଲ ଭିତରେ ପିଲା ପଡ଼ିଯିବା ଭଳି ଅସ୍ବାଭାବିକ ଦୁର୍ଘଟଣା କେବଳ ଭାରତରେ ଅଧିକ ପରିମାଣରେ ଘଟିଥାଏ। ସେଥିପାଇଁ ଯାହା ପୂର୍ବରୁ ଉଲ୍ଲେଖ କରାଯାଇଛି ତାହା ଦୋହରାଯାଇପାରେ ଯେ, କେବଳ ଆଇନ ନୁହେଁ, ମଣିଷ ଜୀବନର ମୂଲ୍ୟକୁ ସମ୍ମାନ ଦେଇ ସବୁ ସ୍ତରରେ ଯଦି ଆଭିମୁଖ୍ୟର ପରିବର୍ତ୍ତନ ଘଟିବ, ତେବେ ଅନେକ ଦୁର୍ଘଟଣାରୁ ବଞ୍ଚତ୍ବା ସମ୍ଭବପର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପାଞ୍ଚ ଦିନର ପ୍ରଶିକ୍ଷଣ ପରେ ସଫଳତା ଆକାଶଛୁଆଁ। ଏକଥା ବିଶ୍ୱାସ କରି ହେଉ ନ ଥିଲେ ବି ସତ। ରାଜସ୍ଥାନର ଗୌରବ ପଚୌରି ମୁକ୍ତା ଚାଷ...

ଭକ୍ତ ପାଇବେ ସୁରକ୍ଷା

ଡ. ଗୌରୀଶଙ୍କର ସାହୁ     “ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିବାବେଳେ ଅନୁଭବ ହୁଏ, ସେ ଗରିବଙ୍କ ଠାକୁର।“ ନବନିର୍ମିତ ସେଣ୍ଟ୍ରାଲ ହଲ୍‌ରେ ନବନିର୍ବାଚିତ ସାଂସଦମାନଙ୍କୁ...

ପୁଣ୍ୟର କରାମତି

ଡ. ପ୍ରମୋଦ କୁମାର ପଣ୍ଡା   ଜୀବନକାଳ ମଧ୍ୟରେ ଆମେ ସତ୍‌ କିମ୍ବା ଅସତ୍‌ ଉପାୟରେ ପ୍ରଚୁର ଧନ ସମ୍ପତ୍ତି ଠୁଳ କରିଛୁ। ତେବେ ଅର୍ଜିତ...

ଫ୍ରାନ୍ସ ନିର୍ବାଚନ ଓ ମାକ୍‌ରଁ

ଜନ ଓ୍ବେର୍ନର ମୁଲେର   ୟୁରୋପୀୟ ସଂସଦ ନିର୍ବାଚନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ପାର୍ଟି ଦକ୍ଷିଣପନ୍ଥୀ ନ୍ୟାଶନାଲ ରାଲିଠାରୁ ପରାଜୟ ବରଣ କଲା ପରେ...

ସଦ୍‌ଗୁଣାବଳୀର ସକ୍ରିୟ ଚିତ୍ର

ବ୍ୟକ୍ତିତ୍ୱର ସାରବାର୍ତ୍ତା ହିଁ ଚରିତ୍ର। ଏହା ଜୀବନର ମୌଳିକ ନୀତିନିୟମର ସମନ୍ବିତ ଓ ସକ୍ରିୟ ରୂପ। ଦିଗ ନିର୍ଣ୍ଣୟ ଯନ୍ତ୍ର ପରି ଚରିତ୍ର ମଣିଷର କାର୍ଯ୍ୟଧାରାକୁ...

ଏଇ ଭାରତରେ

ହିମାଚଳପ୍ରଦେଶର ଆନି ବ୍ଲକର କାମନ୍ଦ ପଞ୍ଚାୟତର ଗାଢ଼ାରୀ ଗାଁରେ ରହନ୍ତି ୭୩ ବର୍ଷ ବୟସ୍କା ଲୁରମା ଦେବୀ। ସେ ବୁଲାପ୍ରାଣୀଙ୍କୁ ଖାଇବାକୁ ଦେଇ ଖୁବ୍‌ ଆନନ୍ଦିତ...

ସରକାରୀ ଛୁଟିରେ ପାତରଅନ୍ତର

ସାଧାରଣତଃ କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ଷକୁ ଯେଉଁ ୧୭ଟି କାର୍ଯ୍ୟ ବନ୍ଦ ଦିବସକୁ ଛୁଟି ଭାବରେ ପାଇଥାନ୍ତି, ସେଥିମଧ୍ୟରୁ ୧୪ଟି ଛୁଟି ସବୁ ରାଜ୍ୟର କର୍ମଚାରୀମାନଙ୍କ...

ତାଳଗଛ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଜୁଲାଇ ୧ରୁ ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଯାଇଛି । ଜିଲା, ବ୍ଲକ୍‌, ପଞ୍ଚାୟତ, ପୌର ପରିଷଦ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri