ମାଗଣାର ଭୟଙ୍କର ପରିଣତି

ନୋବେଲ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଆମେରିକୀୟ ଲେଖକ ଜନ୍‌ ଷ୍ଟେନ୍‌ବେକ୍‌ କହୁଥିଲେ, ”ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ମାତ୍ରାଧିକ କ୍ଷମତାଲୋଭ ହିଁ ଭ୍ରଷ୍ଟ ବ୍ୟବସ୍ଥାର ଜନକ।“ ଭ୍ରଷ୍ଟ ବ୍ୟବସ୍ଥା ମଧ୍ୟରେ ‘ମାଗଣା’ ବ୍ୟବସ୍ଥା ହେଉଛି ଅତୀବ ସାଙ୍ଘାତିକ। ମାଗଣା ବ୍ୟବସ୍ଥା ହେଉଛି ପଶୁବୁଦ୍ଧିର ପରିଣାମ। ଅର୍ଥାତ୍‌ ଏକପ୍ରକାର ଅତ୍ୟାଚାର। ୨୦୨୨ ଜୁଲାଇରେ ବରିଷ୍ଠ ଅଧିବକ୍ତା ଅଶ୍ୱିନୀ ଉପାଧ୍ୟାୟଙ୍କ ଏକ ଯାଚିକା ଉପରେ ବିଚାରକରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, ”ଲାଞ୍ଚ ଦେବାନେବା ଯେମିତି ଏକ ଅପରାଧ, ଠିକ୍‌ ସେମିତି ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମାଗଣା ବଣ୍ଟନ, ପ୍ରତିଶ୍ରୁତି ପୂର୍ବକ ଭୋଟ ହାତେଇବା ଏକ ପ୍ରକାର ଲାଞ୍ଚ ପ୍ରକ୍ରିୟା, ଯାହାକି ଜନ ପ୍ରତିନିଧି ଆଇନର ବିରୁଦ୍ଧାଚରଣ କରୁଛି। ଏଣୁ ତାହା ଅପରାଧ ପର୍ଯ୍ୟାୟଭୁକ୍ତ।“ ଏହା କିଭଳି ରୋକାଯାଇପାରିବ ସେ ସମ୍ବନ୍ଧେ ସମୁଚିତ ଉପାୟ ବାହାରକରି ନ୍ୟାୟାଳୟକୁ ଅବଗତ କରାଇବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। କୁହାଯାଏ, ଯଦି ଗୋଟେ ଜାତିକୁ ବିନଷ୍ଟ କରିବାର ଇଚ୍ଛା, ତେବେ ଏପରି ବ୍ୟବସ୍ଥା ଖଞ୍ଜିଦିଅ ଯେମିତି କି ସେ ତା’ର ଶକ୍ତି, ସାମର୍ଥ୍ୟ ସବୁ ଭୁଲିଯିବ ଏବଂ ସ୍ବାଭିମାନଶୂନ୍ୟ ହୋଇ ସତ୍ୟାନାଶକୁ ଅନାଇ ରହିଥିବ। ମରଣମୁହାଁ ଯୋଜନା ମଧ୍ୟରେ ‘ମାଗଣା’ ସେଭଳି ଏକ ଭୟଙ୍କର ବରବାଦୀ ବ୍ୟବସ୍ଥା।
ମନେପଡ଼େ ପିଲାବେଳର ବନିଶୀରେ ମାଛ ଧରିବା କଥା। ସାମାନ୍ୟ ଟିକେ ଆହାର ଲୋଭ ଦେଖାଇ ଶିକାର କରିଥାଉ ମାଛଟିକୁ। ନିଜର ନିରୀହପଣରେ ମାଛଟି ଜାଣିପାରେନା କାଣିଚାଏ କରୁଣା ବିନିମୟର କୁପରିଣତିକୁ। ‘ମାଗଣା’ର ମୋହ ଏମିତି ଏକ ରୋଗ ଯେ ଥରେ ଯଦି ଗ୍ରାସକଲା, ତେବେ ସେଥିରୁ ମୁକୁଳିବା ଖୁବ୍‌ କଷ୍ଟସାଧ୍ୟ। ଦେଶ ଓ ଜାତିକୁ ସେଥିପାଇଁ ଅନେକ ମୂଲ୍ୟ ଦେବାକୁ ପଡ଼େ। ମେଣ୍ଢାଲୋମରେ ମେଣ୍ଢାଙ୍କ ପାଇଁ କମ୍ବଳ ତିଆରିକରି ବାଣ୍ଟିବାରେ ନେତାମାନେ ଖୁବ୍‌ ଓସ୍ତାଦ। ଏକଦା ଜଣେ ନେତା ମେଣ୍ଢାପଲଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଯେ, ମୁଁ ଏଥର ଜିତିଲେ ପ୍ରତି ମେଣ୍ଢାକୁ ଗୋଟେ ଗୋଟେ କମ୍ବଳ ବାଣ୍ଟିବି। ସବୁ ମେଣ୍ଢା ଖୁସିରେ ଗଦଗଦ ହୋଇଗଲେ। ନେତା ଜଣକ ସେଠାରୁ ଚାଲିଗଲା ପରେ ମେଷ ଶାବକଟିଏ ଅବୁଝା ଦୃଷ୍ଟିରେ ତା’ ମାଆକୁ ପଚାରିଲା – ସବୁ ମେଣ୍ଢା ଆଜି ଖୁସି କାହିଁକି? କମ୍ବଳ କଥା ଶୁଣିଲା ପରେ ପୁଣି ପଚାରିଲା – ଆମ ପାଇଁ ଏତେ ସଂଖ୍ୟାରେ ଯେଉଁ କମ୍ବଳ ବ୍ୟବସ୍ଥା ହେବ, ସେଥିପାଇଁ ଲୋମ କେଉଁଠୁ ଆଣିବେ ସେ? ଆମ ଦେହରୁ କାଟିନେଇ ବା ଆମ ଚମଡ଼ା ଉତାରିନେଇ କମ୍ବଳ ତିଆରି କରିବେ ନାହିଁ ତ? ବେକାରି ଭତ୍ତା, ଗରିବ ଭତ୍ତା, ଚାଷୀ ଭତ୍ତା, ମହିଳା ଭତ୍ତା, ମାଗଣା ବିଜୁଳି, ଶସ୍ତା ବା ମାଗଣା ଗ୍ୟାସ୍‌ ଆଦି ବ୍ୟବସ୍ଥାରେ ପ୍ରଲୁବ୍ଧ ହେଉଥିବା ଆମେମାନେ କେବେ ପଚାରିଛୁ କି, ଏତେ ସବୁ ବ୍ୟବସ୍ଥା ତୁଲାଇବାକୁ ପଇସା ଆସିବ କେଉଁଠୁ? ମାଗଣାର ପୃଷ୍ଠପୋଷକମାନେ ତାଙ୍କ ଜମିବାଡ଼ି, ସ୍ଥାବର/ଅସ୍ଥାବର ସମ୍ପତ୍ତି ବିକି ଭରଣା କରିବେ କି? ଗୋଟିଏ ପରିବାରର ଜଣେ ବ୍ୟକ୍ତି ଯଦି କିଛି କାମ ନ କରି ବସି ଖାଏ, ତେବେ ପରିବାର ଚଳେଇବା ପାଇଁ ଆର ଜଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ତାକୁ ଅନେକ କଷ୍ଟ ଓ ତ୍ୟାଗ ସ୍ବୀକାର କରିବାକୁ ହେବ। ଠିକ୍‌ ସେମିତି ଦେଶର ଗୋଟେ ବର୍ଗ ଯଦି ବସି ଖାଇଲେ ବା ମାଗଣା ପାଇଲେ, ତାକୁ ଭରଣ କରିବାକୁ ଅନ୍ୟ ବର୍ଗଙ୍କୁ ଅଧିକ ଯାତନା ସହିବାକୁ ପଡ଼ିବ, ଅଧିକରୁ ଅଧିକ କର ଦେବାକୁ ପଡ଼ିବ।
ଏକଦା ହିଟ୍‌ଲର ଗୋଟେ କୁକୁଡ଼ାକୁ ସଂସଦ ଭିତରକୁ ସାଥିରେ ନେଇ ଆସିଲେ। ଆଶ୍ଚର୍ଯ୍ୟ ହୋଇ ସମସ୍ତେ ଦେଖୁଥାନ୍ତି ଓ ମନେ ମନେ ଭାବୁଥାନ୍ତି ଏହାର ରହସ୍ୟ କ’ଣ ହୋଇପାରେ। ଏହି ସମୟରେ କୁକୁଡ଼ା ପରଗୁଡ଼ିକୁ ସେ ଉପାଡ଼ିବାକୁ ଲାଗିଲେ, ଗୋଟେ ପରେ ଗୋଟେ। ସବୁ ପର ଉପାଡ଼ି ସାରି ତାକୁ ତଳେ ଛାଡ଼ିଦେଲେ । ତା’ପରେ ଦାନା ଦୁଇଟା ଦେଲେ ଖାଇବାକୁ। କୁକୁଡ଼ା ଦାନା ଖାଇ ଖାଇ ହିଟ୍‌ଲରଙ୍କ ଗୋଡ଼ ପାଖକୁ ଚାଲି ଆସିଲା। ହିଟ୍‌ଲର ଯୁଆଡ଼େ ଚାଲିଲେ, ଯନ୍ତ୍ରଣାକୁ ପାସୋରିପକେଇ ସାମାନ୍ୟ ଦାନା ଲୋଭରେ କୁକୁଡ଼ା ବି ତାଙ୍କ ପଛେ ପଛେ ଚାଲିଲା। ସେଇଠୁ ବାଚସ୍ପତିଙ୍କ ମୁହଁକୁ ଅନେଇ ହିଟ୍‌ଲର କହିଲେ, ”ଗଣତନ୍ତ୍ର ବ୍ୟବସ୍ଥାରେ ନେତାମାନେ ୫ବର୍ଷ ଜନତାଙ୍କୁ ଠିକ୍‌ ଏମିତି ଲୁଟିବେ ଏବଂ ନିର୍ବାଚନ ସମୟ ଆସିଲେ ତାଙ୍କ ଉପରକୁ ଏହିଭଳି କିଛି ଦାନା ଫୋପାଡ଼ିବେ। ସେଇ ଦାନା ଦିଇଟା ପାଇ ଜନତା ଖୁସ। ତା’ପରେ ଏହି କୁକୁଡ଼ା ପରି ସେମାନେ ଚାଲୁଥିବେ ନେତାଙ୍କ ଗୁଣ ଗାଇ ଗାଇ। ଅର୍ଥାତ୍‌ ଶୋଷକ ସାଜୁଥିବା ସେହି ନେତାମାନେ ତାଙ୍କର ଯାବତୀୟ ଯନ୍ତ୍ରଣାର କାରଣ ଜାଣି ମଧ୍ୟ ନେତାଙ୍କ ଗୋଲାମ ହେବାକୁ ଗୌରବ ମଣିବେ ଜନତା।“
ଯେତେ ପ୍ରାଚୁର୍ଯ୍ୟ ଭରି ରହିଥିଲେ ବି ମାଗଣା ପ୍ରତି ମୋହାବିଷ୍ଟ ହେଲେ, ଦୁର୍ଦ୍ଦିନ ଓ ଦୁର୍ଭାଗ୍ୟ ଘୋଟି ଆସିବ ଭୂମିର ଭାଗ୍ୟାକାଶରେ, ଠିକ୍‌ ଭେନେଜୁଆଲା ପରି। ସୁନାଖଣି, ତୈଳଖଣିରେ ସମୃଦ୍ଧ ଥିବା ଦକ୍ଷିଣ ଆମେରିକାର ସବୁଠୁ ବିତ୍ତଶାଳୀ ଭୂମି ଥିଲା ଭେନେଜୁଆଲା। ଶହ ଶହ ମାଇଲ ବ୍ୟାପୀ ପରିବ୍ୟାପ୍ତ ଥିଲା ତୈଳ ଭଣ୍ଡାରମାନ, ତା’ସାଙ୍ଗକୁ ଅନେକ ସୁନାଖଣି। ବିଶ୍ୱର ସର୍ବାଧିକ ତୈଳ ଭଣ୍ଡାରର ଦେଶ, ସେଦିନର ସମୃଦ୍ଧ ଭୂମିଟି ଆଜି ଏକ କାଙ୍ଗାଳ ଦେଶରେ ପରିଣତ। କର୍ମଠ ଜାତିଟି ମାଗଣା ବ୍ୟବସ୍ଥାରେ ମୋହାବିଷ୍ଟ ହୋଇ ଏକ କର୍ମକୁଢ଼ ଜାତିରେ ପରିଣତ ହୋଇଗଲା ଅଚିରେ। ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ର ତଥ୍ୟାନୁଯାୟୀ ମାଗଣା ବ୍ୟବସ୍ଥାର ଘାତକ ପରିଣତିରେ ଅନୂ୍ୟନ ୯୪ ଭାଗ ବ୍ୟକ୍ତି ଦାରିଦ୍ର୍ୟଜନିତ ଯନ୍ତ୍ରଣାରେ ନିଷ୍ପେଷିତ ଆଜି। ଆଫ୍ରିକୀୟ ଦେଶ ସୋମାଲିଆ ବିଶ୍ୱର ଅନ୍ୟ ଏକ ପ୍ରମୁଖ ଅପରାଧ ଓ ଅରାଜକତାର ଦେଶ ଭାବେ ପରିଗଣିତ।

  • ଉପେନ୍ଦ୍ର ବିଶ୍ୱାଳ
    ଗୋଡ଼ିଶୁଳ, ନୀଳଗିରି, ବାଲେଶ୍ୱର
    ମୋ:୯୪୩୭୪୩୬୦୭୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପାଞ୍ଚ ଦିନର ପ୍ରଶିକ୍ଷଣ ପରେ ସଫଳତା ଆକାଶଛୁଆଁ। ଏକଥା ବିଶ୍ୱାସ କରି ହେଉ ନ ଥିଲେ ବି ସତ। ରାଜସ୍ଥାନର ଗୌରବ ପଚୌରି ମୁକ୍ତା ଚାଷ...

ଭକ୍ତ ପାଇବେ ସୁରକ୍ଷା

ଡ. ଗୌରୀଶଙ୍କର ସାହୁ     “ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିବାବେଳେ ଅନୁଭବ ହୁଏ, ସେ ଗରିବଙ୍କ ଠାକୁର।“ ନବନିର୍ମିତ ସେଣ୍ଟ୍ରାଲ ହଲ୍‌ରେ ନବନିର୍ବାଚିତ ସାଂସଦମାନଙ୍କୁ...

ପୁଣ୍ୟର କରାମତି

ଡ. ପ୍ରମୋଦ କୁମାର ପଣ୍ଡା   ଜୀବନକାଳ ମଧ୍ୟରେ ଆମେ ସତ୍‌ କିମ୍ବା ଅସତ୍‌ ଉପାୟରେ ପ୍ରଚୁର ଧନ ସମ୍ପତ୍ତି ଠୁଳ କରିଛୁ। ତେବେ ଅର୍ଜିତ...

ଫ୍ରାନ୍ସ ନିର୍ବାଚନ ଓ ମାକ୍‌ରଁ

ଜନ ଓ୍ବେର୍ନର ମୁଲେର   ୟୁରୋପୀୟ ସଂସଦ ନିର୍ବାଚନରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁଙ୍କ ପାର୍ଟି ଦକ୍ଷିଣପନ୍ଥୀ ନ୍ୟାଶନାଲ ରାଲିଠାରୁ ପରାଜୟ ବରଣ କଲା ପରେ...

ସଦ୍‌ଗୁଣାବଳୀର ସକ୍ରିୟ ଚିତ୍ର

ବ୍ୟକ୍ତିତ୍ୱର ସାରବାର୍ତ୍ତା ହିଁ ଚରିତ୍ର। ଏହା ଜୀବନର ମୌଳିକ ନୀତିନିୟମର ସମନ୍ବିତ ଓ ସକ୍ରିୟ ରୂପ। ଦିଗ ନିର୍ଣ୍ଣୟ ଯନ୍ତ୍ର ପରି ଚରିତ୍ର ମଣିଷର କାର୍ଯ୍ୟଧାରାକୁ...

ଏଇ ଭାରତରେ

ହିମାଚଳପ୍ରଦେଶର ଆନି ବ୍ଲକର କାମନ୍ଦ ପଞ୍ଚାୟତର ଗାଢ଼ାରୀ ଗାଁରେ ରହନ୍ତି ୭୩ ବର୍ଷ ବୟସ୍କା ଲୁରମା ଦେବୀ। ସେ ବୁଲାପ୍ରାଣୀଙ୍କୁ ଖାଇବାକୁ ଦେଇ ଖୁବ୍‌ ଆନନ୍ଦିତ...

ସରକାରୀ ଛୁଟିରେ ପାତରଅନ୍ତର

ସାଧାରଣତଃ କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ଷକୁ ଯେଉଁ ୧୭ଟି କାର୍ଯ୍ୟ ବନ୍ଦ ଦିବସକୁ ଛୁଟି ଭାବରେ ପାଇଥାନ୍ତି, ସେଥିମଧ୍ୟରୁ ୧୪ଟି ଛୁଟି ସବୁ ରାଜ୍ୟର କର୍ମଚାରୀମାନଙ୍କ...

ତାଳଗଛ

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଜୁଲାଇ ୧ରୁ ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଯାଇଛି । ଜିଲା, ବ୍ଲକ୍‌, ପଞ୍ଚାୟତ, ପୌର ପରିଷଦ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri