ମହେଶ ମୂର୍ତ୍ତିଙ୍କ ନାଁରେ ୧୦୦ ନିୟୁତ ଡଲାରର ମାନହାନି ମକଦ୍ଦମା

ସିଙ୍ଗାପୁର,୨୩।୪: ଗୋଟିଏ ଆର୍ଟିକିଲ୍‌ ପାଇଁ ନିବେଶକ ତଥା ସିଡ୍‌ଫଣ୍ଡର ସହପ୍ରତିଷ୍ଠାତା ମହେଶ ମୂର୍ତ୍ତି ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। ସିଙ୍ଗାପୁରର ଫ୍ୟାଶନ୍‌ ଟେକ୍ନୋଲୋଜି କମ୍ପାନୀ ଜିଲିଙ୍ଗୋର ସହପ୍ରତିଷ୍ଠାତା ଅଙ୍କିତି ବୋଷ ମହେଶଙ୍କ ନଁାରେ ୧୦୦ ନିୟୁତ ଡଲାରର ଏକ ମାନହାନି ମକଦ୍ଦମା କରିଛନ୍ତି। ମାର୍ଚ୍ଚ ୧ ତାରିଖରେ ଆଉଟ୍‌ଲୁକ୍‌ ବିଜ୍‌ନେସ୍‌ ମାଗାଜିନ୍‌ରେ ମହେଶଙ୍କ ଦ୍ୱାରା ଲିଖତ ଏକ ନିବନ୍ଧ ସ୍ଥାନ ପାଇଥିଲା। ଅଙ୍କିତି ଷ୍ଟାର୍ଟଅପ୍‌ କମ୍ପାନୀଗୁଡ଼ିକଠାରୁ ବେଆଇନ ଭାବେ ଟଙ୍କା ନେଉଥିବା ମେହଶ ଉକ୍ତ ଆର୍ଟିକିଲ୍‌ରେ ଉଲ୍ଲେଖ କରିଥିଲେ।
ନିବନ୍ଧରେ ମହେଶ କୌଣସିଠାରେ ସିଧାସଳଖ ଅଙ୍କିତିଙ୍କ ନାଁ ଲେଖି ନ ଥିବାବେଳେ ତାଙ୍କୁ ଇଙ୍ଗିତ କରି ଲେଖାଯାଇଥିଲା। ଅନେକ ପ୍ରତିଷ୍ଠାତା ଷ୍ଟାର୍ଟଅପ୍‌ କମ୍ପାନୀଗୁଡ଼ିକଠାରୁ ବେଆଇନ ଭାବେ ଟଙ୍କା ନେଉଛନ୍ତି। ପପୁଲାର ଫ୍ୟାଶନ ପୋର୍ଟାଲ ଚଲାଉଥିବା ‘ଜଣେ ଲେଡି’ ଏଭଳି ଟଙ୍କା ନେଉଛନ୍ତି। ମହିଳା ଜଣକ ନିଜ ଓକିଲଙ୍କୁ ଫିସ୍‌ ବାବଦକୁ ୭୦ କୋଟି ଟଙ୍କା ଦେଉଥିବାବେଳେ ଏହି ଟଙ୍କା ସିଧାସଳଖ ତାଙ୍କ ପାଖକୁ ଫେରିଯାଉଥିବା ମହେଶ ନିଜ ଆର୍ଟିକିଲ୍‌ରେ ବର୍ଣ୍ଣନା କରିଛନ୍ତି।
ଆର୍ଟିକିଲ ଜରିଆରେ ଅଣାଯାଇଥିବା ଅଭିଯୋଗ କେତେକ ଗଣମାଧ୍ୟମରେ ପ୍ରସାରିତ ମିଛ ଖବର ଉପରେ ପଯ୍ୟବସିତ। ଏ ନେଇ ଅଙ୍କିତିଙ୍କ ବିରୋଧରେ କୌଣସି ପ୍ରମାଣ କିମ୍ବା ରେକର୍ଡ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଅନ୍ୟ ସହକର୍ମୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ନେଇ ଅଙ୍କିତିଙ୍କ ବିରୋଧରେ ଅଭିଯୋଗ ଆସିଥିଲା, ଯେଉଁଥିପାଇଁ ଗତବର୍ଷ ଏପ୍ରିଲରେ ତାଙ୍କୁ ନିଲମ୍ବନ କରାଯାଇଥିଲା।

Share