ସ୍ପେସ୍‌ଏକ୍ସରେ ୧୪ ବର୍ଷୀୟ ଇଞ୍ଜିନିୟର

କାଲିଫର୍ନିଆ, ୧୨।୬: ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସରେ କାମ କରିବେ ଜଣେ ୧୪ ବର୍ଷୀୟ ବାଳକ। କାଇରାନ କ୍ୱାଜି ନାମକ ଏହି ବାଳକ ସ୍ପେସ୍‌ଏକ୍ସରେ ସଫ୍ଟ୍‌ଓ୍ବେର୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବେ। ଇଞ୍ଜିନିୟର ଚୟନ ଲାଗି କରାଯାଇଥିବା ଟେକ୍‌ନିକାଲି ଚ୍ୟାଲେଞ୍ଜିଙ୍ଗ୍‌ ଏବଂ ଫନ୍‌ ଇଣ୍ଟରଭ୍ୟୁରେ କ୍ୱାନ୍‌ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ସେସ୍‌ଏକ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ କ୍ୱାଜି ସର୍ବକନିଷ୍ଠ କର୍ମଚାରୀ ହୋଇଥିବା ଏଲ୍‌ଏ ଟାଇମ୍ସରେ ପ୍ରକାଶିତ ଖବରରେ କୁହାଯାଇଛି। ମାତ୍ର ୧୧ ବର୍ଷ ବୟସରୁ କ୍ୱାଜି କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ ପଢ଼ା ଆରମ୍ଭ କରିଥିଲେ। ସାଣ୍ଟା କ୍ଲାରା ୟୁନିଭର୍ସିଟିରୁ ଚଳିତ ମାସରେ ସେ ଗ୍ରାଜୁଏଟ୍‌ ହୋଇଛନ୍ତି। ସ୍ପେସ୍‌ଏକ୍ସରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବା ଲାଗି କ୍ୱାଜି ବେଶ୍‌ ଉତ୍ସାହିତ ଥିବାବେଳେ କମ୍ପାନୀକୁ ନିଜ ଟାର୍ଗେଟ୍‌ ହାସଲ କରାଇବାରେ ସାହାଯ୍ୟ କରିବେ ବୋଲି କ୍ୱାଜି କହିଛନ୍ତି। ଚାକିରି ଲାଗି ସେ ଏବେ ତାଙ୍କ ମା’ଙ୍କ ସହ କାଲିଫର୍ନିଆର ପିଜାଣ୍ଟୋନରୁ ରାଡମୋଣ୍ଡ ସ୍ଥାନାନ୍ତର ହେବାକୁ ଯୋଜନା କରୁଛନ୍ତି। ସ୍ପେସ୍‌ଏକ୍ସରେ ସଫ୍ଟଓ୍ବେର ଇଞ୍ଜିନିୟର ପଦ ପାଇଁ ବଛାଯିବା ପରେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ଅଫର୍‌ ଲେଟର ଫଟୋ କ୍ୱାଜି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସ୍କୁଲ ପାଠପଢ଼ା କ୍ୱାଜିଙ୍କୁ ପସନ୍ଦ ନ ଥିଲା। ତାଙ୍କୁ ଯେତେବେଳେ ୯ ବର୍ଷ ହୋଇଥିଲା ସେ ଏ କଥା ଘରେ ଜଣେଇଥିଲେ। ଏହାପରେ କ୍ୱାଜିଙ୍କ ମା’ ଏକ କମ୍ୟୁନିଟି କଲେଜରେ ତାଙ୍କ ନାମ ଲେଖାଇ ଦେଇଥିଲେ। କଲେଜ ପାଠପଢ଼ା ତାଙ୍କୁ ଭଲ ଲାଗିଥିଲା। ଖାଲି ସମୟରେ ସାଇନ୍ସ ଫିକ୍ସନ ଷ୍ଟୋରି ବହି ପଢ଼ିବା ସାଙ୍ଗକୁ ଗେମ୍‌ ଖେଳିବା ତାଙ୍କୁ ଭଲଲାଗେ। ଏହାଛଡ଼ା ଖବର ଓ କରେଣ୍ଟ ଆଫେୟାର୍ସକୁ ନେଇ ପିଲାବେଳୁ କ୍ୱାଜିଙ୍କ ମନରେ ରୁଚି ଥିଲା।

Share