Categories: ଗଞ୍ଜାମ

କରୋନା ଆକ୍ରାନ୍ତ ୧୫ ଦିନର ଶିଶୁ ମୃତ

ବ୍ରହ୍ମପୁର ଅଫିସ୍‌,୧୫ା୫: କରୋନାର ଦ୍ୱିତୀୟ ଲହରରେ ଶିଶୁ ସଂକ୍ରମିତ ହେଲେଣି। ଗତ ସୋମବାର ବ୍ରହ୍ମପୁର ହାଉସିଂ ବୋର୍ଡ଼ରେ ରହୁଥିବା ଜଣେ ୧୦ ବର୍ଷୀୟ ନାବାଳକଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଶୁକ୍ରବାର ପୁଣି ଏମ୍‌କେସିଜି ମେଡିକାଲରେ ୧୫ ଦିନର ଜଣେ ଶିଶୁର କରୋନାରେ ମୃତ୍ୟୁ ଘଟିଥିବା ବେଳେ ୧୭ ଦିନର ଅନ୍ୟ ଜଣେ ଶିଶୁ ଗୁରୁତର ରହିଛି। ଦୁଇ ନବଜାତଙ୍କ ମା’ ଓ ବାପାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ରହିଥିବାରୁ ଶିଶୁ କିଭଳି ସଂକ୍ରମିତ ହେଲେ ତାହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି।
ଗତ ୯ ତାରିଖରେ ଜନ୍ମିତ ଶିଶୁର ନିଃଶ୍ୱାସ ନେବାରେ କଷ୍ଟ ହେବାରୁ ଏମ୍‌କେସିଜି ମେଡ଼ିକାଲର ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲା। ସେ ସମୟରେ ଶିଶୁ ବିଭାଗ ମୁଖ୍ୟ ଡ.ସୁନୀଲ ଅଗ୍ରୱାଲ ତାହାର ଆଣ୍ଟିଜେନ୍‌ ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେଣୁ ଶିଶୁଟିର ମା’ ବାପାଙ୍କର ବି କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ସଂକ୍ରମିତ ଶିଶୁଟିକୁ ଏସ୍‌ଏନ୍‌ସିୟୁର କୋଭିଡ଼୍‌ କର୍ନରରେ ଚିକିତ୍ସା କରାଯାଉଥିଲା। ଶୁକ୍ରବାର ଅପରାହ୍ନରେ ତାହାର ମୃତ୍ୟୁ ଘଟିଥିବା ଡ. ଅଗ୍ରୱାଲ କହିଛନ୍ତି। ସେହିପରି ୧୬ ଦିନ ତଳେ ଜନ୍ମିତ ଶିଶୁଟି ମଧ୍ୟ ନିଃଶ୍ୱାସ ନେଇ ନ ପାରିବାରୁ ଗତ ଗୁରୁବାର ଏମ୍‌କେସିଜି ଶିଶୁ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାହାର ଆଣ୍ଟିଜେନ୍‌ ପରୀକ୍ଷା ପରେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ମା’ ବାପାଙ୍କ ରିପୋର୍ଟ ନେଗେଟିଭ୍‌ ରହିଥିବା ଡ.ଅଗ୍ରୱାଲ ସୂଚନା ଦେଇଛନ୍ତି। ଶିଶୁ ବିଭାଗର କୋଭିଡ଼୍‌ କର୍ନରରେ ଚିକିତ୍ସିତ ଶିଶୁର ଅବସ୍ଥା ଗୁରୁତର ହେବାରୁ ଏମକେସିଜିରେ ଥିବା ଡେଡିକେଟେଡ କୋଭିଡ୍‌ ହସ୍ପିିଟାଲ -୧ରେ ଚିକିତ୍ସା ଚାଲିଥିବା ଡ.ଅଗ୍ରୱାଲ କହିଛନ୍ତି।