ସୋର,୪।୧୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅଞ୍ଚଳରେ ୩୦ହଜାର ଟଙ୍କାରେ ଏକ ନବଜାତ ଶିଶୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ଚାଇଲ୍ଡଲାଇନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ହେଲେ ମହିଳା ଜଣକ କୋଳରେ ଧରିଥିବା ୧୫ ଦିନର ନବଜାତ ଶିଶୁ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଚାଇଲ୍ଡ ଲାଇନ କର୍ମକର୍ତ୍ତାଙ୍କ ସନ୍ଦେହ ହୋଇଥିଲା। ସେମାନେ ଉକ୍ତ ଶିଶୁକୁ ଉଦ୍ଧାର କରି ସାଙ୍ଗରେ ନେଇଯାଇଥିଲେ।
ବାଗୁଡି ଅଞ୍ଚଳର ଏହି ଦମ୍ପତି ଲିଙ୍ଗପଡ଼ା ଅଞ୍ଚଳରେ ଭଡ଼ାରେ ରହୁଥିଲେ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ଆର୍ଥିକ ଦୁର୍ବଳ ଶ୍ରେଣୀର ଏକ ଦମ୍ପତି ୩୦ ହଜାର ଟଙ୍କାରେ ଏହି ଶିଶୁପୁତ୍ରକୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଖଇରା ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ମଦନ ମୋହନ ବେହେରାଙ୍କ ପରାମର୍ଶକ୍ରମେ ତପସ୍ବିନୀ ରାଉତ ଓ ପଞ୍ଚାନନ ତ୍ରିପାଠୀ ଲିଙ୍ଗପଡ଼ା ଅଞ୍ଚଳରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସ୍ବାମୀ ଘରେ ନ ଥିବା ବେଳେ ମହିଳା ଜଣକ କୋଳରେ ଏକ ୧୫ ଦିନର ଶିଶୁକୁ ଧରିଥିବା ସେମାନେ ଦେଖିଥିଲେ। ଚାଇଲ୍ଡଲାଇନ କର୍ମକର୍ତ୍ତା ଶିଶୁଙ୍କ ଜନ୍ମ ସଂକ୍ରାନ୍ତୀୟ କାଗଜପତ୍ର ତାଙ୍କୁ ମାଗିଥିଲେ। ହେଲେ ସେ କିଛି କାଗଜପତ୍ର ଦେଖାଇ ପାରି ନ ଥିଲେ। ପୋଲିସ ସହାୟତାରେ ଏହି ଶିଶୁପୁତ୍ରକୁ ଉଦ୍ଧାର କରାଯାଇ ବାଲେଶ୍ୱର ସିଡବ୍ଲ୍ୟୁସିରେ ପହଞ୍ଚାଇବା ପରେ ସେଠାରୁ କୁରୁଡାସ୍ଥିତ ନିର୍ମଳା ଶିଶୁଭବନକୁ ହସ୍ତାନ୍ତର କରାଯାଇଛି।