ଆଙ୍କରା,୧୪।୮: ତୁର୍କୀରେ ଏକ ରୋଚକ ଘଟଣା ଘଟିଛି। ଜଣେ ୨ ବର୍ଷର ଝିଅକୁ ସାପ କାମୁଡିବାରୁ ସେ ରାଗିଯାଇ ଦାନ୍ତରେ ସାପଟିକୁ କାମୁଡି ଦୁଇଖଣ୍ଡ କରିଦେଇଛନ୍ତି। କୁନି ଝିଅଟି ଖେଳୁଥିବାବେଳେ ସାପ ତାଙ୍କ କୋଠରୀରେ ପ୍ରବେଶ କରିଥିଲା। ସେହି ସାପକୁ ଖେଳନା ଭାବି ଝିଅଟି ତା’ ସହିତ ଖେଳିବା ଆରମ୍ଭ କରିଥିଲେ। ଏହି ସମୟରେ ସାପ ଝିଅଟିର ଓଠକୁ କାମୁଡି ଦେଇଥିଲା। ଏହା ପରେ ସେ ରାଗିଯାଇ ସାପକୁ ଦାନ୍ତରେ କାମୁଡି ଦେଇଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଝିଅଟି ସାପଟିକୁ କାମୁଡି ଦୁଇ ଖଣ୍ଡ କରିଦେଇଥିଲେ। ଏହା ପରେ ଝିଅଟି କାନ୍ଦିବାକୁ ଲାଗିଥିଲେ। ଘର ଲୋକ ଦେଖିବାରୁ, ଝିଅଟି ମୁହଁରେ ରକ୍ତ ଲାଗିଥିଲା। ପଡ଼ୋଶୀମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସଙ୍ଗେ ସଙ୍ଗେ କୁନି ଝିଅଟିକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ବିପଦମୁକ୍ତ ଅଛନ୍ତି। ସାପଟିର କମ ବିଷ ଥିବାରୁ ଝିଅଟି ବଞ୍ଚିଯାଇଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।