କେନାଲ ବନ୍ଧରେ ୨୦ ଫୁଟର ଘାଇ

ବାଳକାଟୀ,୭।୮(ମନୋଜ ମଣ୍ଡଳ): ଭୁବନପୁର ଜଳସମ୍ପଦ କାର୍ଯ୍ୟାଳୟ ଅଧୀନ ବାଳକାଟୀସ୍ଥିତ ସାଇଫୋନ ନିକଟରେ କେନାଲ ବନ୍ଧ ଭାଙ୍ଗି ପ୍ରାୟ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ରାତିରେ ଅଚାନକ ବନ୍ଧ ଭାଙ୍ଗିବା ଫଳରେ ସ୍ଥାନୀୟ ନର୍ସରୀ ଆଉ କଲେଜ ପଡ଼ିଆ ଜଳମଗ୍ନ ହୋଇଯାଇଛି। ପାଣି ଘେରରେ ବାଳକାଟୀ ଫାଣ୍ଡି ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ ପରିସରରେ ଥିବାରୁ କାମ ପାଇଁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନାଲ ବନ୍ଧ ଦୁର୍ବଳ ଥିବାରୁ ହଠାତ୍‌ ପୁରୀ ମୁଖ୍ୟ କେନାଲରେ ପାଣି ଫୁଲ ହେବାରୁ ବନ୍ଧ ଭାଙ୍ଗି ଯାଇଥିଲା। ଲୋକେ ଭୟଭୀତ ହୋଇ କେନାଲ ଆଡକୁ ଧାଇଁଥିଲେ। ଭୋରୁ ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ରୀନା ବେହେରା ପହଞ୍ଚି ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା। ଖବରପାଇ ବାଲିପାଟଣା ଜଳସମ୍ପଦ ବିଭାଗ ଅଧୀନ ଭୁବନପୁର ସେକ୍ସନ କାର୍ଯ୍ୟାଳୟ ସହକାରୀ ଯନ୍ତ୍ରୀ ଜଳନ୍ଧର ସାଠୁଆ, ବାଲିପାଟଣା ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଞ୍ଚି କେନାଲର ଜଳସ୍ତର କମାଇବାକୁ ପଦକ୍ଷେପ ନେଇଥିଲେ। ପୁରୀ ମୁଖ୍ୟ କେନାଲର ଉଦ୍‌ବୃତ୍ତ ଜଳକୁ ଚନ୍ଦନପୁର ଶାଖା କେନାଲକୁ ଓ ସାଇଫୋନ କବାଟ ଖୋଲି ଭାର୍ଗବୀ ନଦୀକୁ ଛାଡିବା ଶହ ଭଇଁଚୁଆଠାରେ ଧନୁଆ ନଦୀକୁ ନିଷ୍କାସନ ହେବା ପରେ କେନାଲ ପାଣିସ୍ତର ତଳକୁ ଖସିଥିଲା। ପରେ ତୁରନ୍ତ ଘାଇ ସ୍ଥଳରେ ବାଲିବନ୍ଧ କରାଯାଇଥିଲା। ତୁରନ୍ତ ଘାଇ ସ୍ଥାନକୁ ମରାମତି କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ।