୨୦ ମାସର ଶିଶୁ ୫ ଜଣଙ୍କ ଜୀବନ ରକ୍ଷା କଲେ

ନୂଆଦିଲ୍ଲୀ,୧୪।୧: କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ। ଏଭଳି କାର୍ଯ୍ୟ ଜଣେ ୨୦ ମାସର ଶିଶୁ କରିଛନ୍ତି। ସେ ୫ ଜଣ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଅଙ୍ଗଦାନ କରି ସେ ଏଭଳି ମହାନ୍‌ କାର୍ଯ୍ୟ କରିପାରିଛନ୍ତି। ଏହାଦ୍ୱାରା ସେ ସର୍ବ କନିଷ୍ଠ କାଡାଭେର ଡୋନର ପାଲଟିଛନ୍ତି। ଏଭଳି କାର୍ଯ୍ୟ କରିଥିବା ଶିଶୁ ହେଉଛନ୍ତି ଧନିଷ୍ଠା। ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ଅନ୍ୟମାନଙ୍କ ଠାରେ ପ୍ରତ୍ୟାରୋପଣ କରାଯାଇଛି। ଜାନୁୟାରୀ ୮ରେ ଧନିଷ୍ଠା ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ତାଙ୍କ ଘରେ ଖେଳୁଥିବା ସମୟରେ ପ୍ରଥମ ମହଲାରୁ ଖସି ପଡ଼ିଥିଲେ। ସେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ଲାଗି ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କର ହୋସ୍‌ ଆଣିବାର ଉଦ୍ୟମ କରିଥିଲେ ବି ଏହା ଅସଫଳ ରହିଥିଲା। ଜାନୁୟାରୀ ୧୧ରେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରାଯାଇଥିଲା। ମାତା ବବିତା ଏବଂ ପିତା ଅଶିଷ କୁମାର ଧନିଷ୍ଠାଙ୍କ ଅଙ୍ଗ ଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଧନିଷ୍ଠାଙ୍କର ହୃଦୟ, ଲିଭର, ଦୁଇ କିଡ୍‌ନୀ ଏବଂ କୋର୍ନିଆ ବାହାର କରାଯାଇ ୫ ଜଣଙ୍କଠାରେ ପ୍ରତ୍ୟାରୋପଣ କରାଯାଇଥିଲା।

Share