୨୬ ବର୍ଷ ବୟସ୍କା ମହିଳାଙ୍କର ୨ଟି ଗୁପ୍ତାଙ୍ଗ-୨ଟି ଗର୍ଭାଶୟ: ଥିଲେ ବିରଳ ରୋଗରେ ପୀଡ଼ିତ…

ଓ୍ବାଶିଂଟନ,୧୧।୪: ଆମେରିକାରେ ଜଣେ ୨୬ ବର୍ଷ ବୟସ୍କା ମହିଳା ବିରଳ ରୋଗରେ ପୀଡିତ ଥିବା ଜଣାପଡ଼ିଛି। ମହିଳା ଜଣକ ଗର୍ଭବତୀ ଥିଲେ। ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୩୦ ଘଣ୍ଟାର ଗର୍ଭଯନ୍ତ୍ରଣା ପରେ ବ୍ରିଟନି ଜ୍ୟାକବ୍ସ ନାମକ ଏହି ମହିଳା ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ। ପ୍ରସବ ପାଇଁ କରାଯାଇଥିବା ଅପରେଶନ ସମୟରେ ଡାକ୍ତରମାନେ ଜାଣି ପାରିଥିଲେ ଯେ, ବ୍ରିଟନିଙ୍କର ୨ଟି ଗୁପ୍ତାଙ୍ଗ, ୨ଟି ସର୍ଭିକ୍ସ୍‌ ଏବଂ ୨ଟି ଗର୍ଭାଶୟ ରହିଛି। ତେବେ ଏହା ବ୍ରିଟନି ଅବା ତାଙ୍କ ସ୍ବାମୀଙ୍କୁ ଅଜଣା ଥିଲା। ଶରୀର ଭିତରେ ଏଭଳି ବିରଳ ରୋଗ ଥିବା ସମ୍ପର୍କରେ ବାହାରୁ ଜାଣିବା ଅସମ୍ଭବ ବୋଲି ଡାକ୍ତରମାନେ କହିଛନ୍ତି। ଏ ପ୍ରକାର ବିରଳ ରୋଗକୁ ୟୁଟ୍ରେସ୍‌ ଡିଡେଲ୍ଫସ୍‌ କୁହାଯାଇଥାଏ। ବ୍ରିଟନିଙ୍କର ମାସରେ ୨ ଥର ଯନ୍ତ୍ରଣା ଦାୟକ ଋତୁସ୍ରାବ ହେଉଥିଲା। ଏନେଇ ସେ ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ। ତେବେ ଡାକ୍ତର ତାଙ୍କୁ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ଯନ୍ତ୍ରଣା ପୂର୍ବପରି ରହିଥିଲା। ଏହାକୁ ସେ ଏକ ସାଧାରଣ ଶାରୀରିକ ସମସ୍ୟା ଭାବେ ଗ୍ରହଣ କରିଥିଲେ। ବିବାହ ପରେ ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ତାଙ୍କୁ କଷ୍ଟ ହେଉଥିଲା। ଏନେଇ ସ୍ବାମୀ ବ୍ୟସ୍ତବିବ୍ରତ ଥିଲେ। ଶେଷରେ ଏହି ବିରଳ ରୋଗ ସମ୍ପର୍କରେ ଡେଲିଭରୀ ସମୟରେ ହିଁ ଜଣାପଡ଼ିଥିଲା ବୋଲି ବ୍ରିଟନି ସ୍କାଏପେ ଚାର୍ଟରେ ସୂଚନା ଦେଇଛନ୍ତି। ଏବେ ବ୍ରିଟନିଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share