ଲିଥିୟମ ଉପରେ ୩% ରୟାଲଟି ଧାର୍ଯ୍ୟ

ନୂଆଦିଲ୍ଲୀ,୧୨ା୧୦: ଲିଥିୟମ, ନିଓବିୟମ ଏବଂ ବିରଳ ମୃତ୍ତିକା ଉପାଦାନ (ଆର୍‌ଇଇ) ପାଇଁ ବୁଧବାର କେନ୍ଦ୍ର ରୟାଲଟି ହାର ଅନୁମୋଦନ କରିଛି। ଲିଥିୟମ ଏବଂ ନିଓବିୟମ ପାଇଁ ୩% ଲେଖାଏ ରୟାଲଟି ହାର ସ୍ଥିର ହୋଇଥିବାବେଳେ ଆର୍‌ଇଇ ଲାଗି ଏହି ହାର ୧% ସ୍ଥିର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଉପରୋକ୍ତ ୩ ଗୁରୁତ୍ୱପୂର୍ଣ୍ଣ ତଥା ରଣନୈତିକ ଖଣିଜ ପଦାର୍ଥ ଉପରେ ରୟାଲଟି ହାର ଧାର୍ଯ୍ୟ କରିବା ପାଇଁ ଖଣି ଏବଂ ଖଣିଜ ପଦାର୍ଥ (ବିକାଶ ଏବଂ ନିୟାମକ) ଅଧିନିୟମ, ୧୯୫୭ (ଏମ୍‌ଏମ୍‌ଡିଆର୍‌ ଅଧିନିୟମ)ର ସଂଶୋଧନକୁ ଅନୁମୋଦନ କରିଥିବା ଖଣି ମନ୍ତ୍ରଣାଳୟ ଏକ ବିବୃତିରେ କହିଛି। ଏହି ରୟାଲଟି ହାର ଅନୁମୋଦନ ଫଳରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଦେଶରେ ଲିଥିୟମ, ନିଓବିୟମ ଏବଂ ଆର୍‌ଇଇ ବ୍ଲକ ନିଲାମ କରିବାକୁ ସକ୍ଷମ ହେବେ।

ଖଣିଜ ପଦାର୍ଥ ଉପରେ ରୟାଲଟି ହାର ଏହାର ନିଲାମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏମ୍‌ଏମ୍‌ଡିଆର୍‌ ଅଧିନିୟମ ସଂଶୋଧନ କରାଯିବା ଦ୍ୱାରା ଲିଥିୟମ ଏବଂ ନିଓବିୟମ ସମେତ ୬ଟି ଖଣିଜ ପଦାର୍ଥକୁ ଆଣବିକ ଖଣିଜ ପଦାର୍ଥ ତାଲିକାରୁ ବାଦ୍‌ ଦିଆଯାଇଥିଲା। ଫଳରେ ଘରୋଇ କ୍ଷେତ୍ରକୁ ନିଲାମ ମାଧ୍ୟମରେ ଏହି ଖଣିଜ ପଦାର୍ଥଗୁଡ଼ିକର ଉତ୍ତୋଳନ ଅନୁମତି ଏବଂ ରିହାତି ମିଳିପାରିବ। ଏଥିସହ ଖଣି ମନ୍ତ୍ରଣାଳୟ ଏହି ଖଣିଜ ପଦାର୍ଥର ହାରାହାରି ବିକ୍ରୟ ମୂଲ୍ୟ (ଏଏସ୍‌ପି) ଆକଳନ କରିବା ପାଇଁ ଏକ ପଦ୍ଧତି ପ୍ରସ୍ତୁତ କରିଛି, ଯାହା ନିଲାମ ପାରାମିଟର ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବ। ସୂଚନାଥାଉ କି, ଜମ୍ମୁ କଶ୍ମୀରରେ ୫୯ ଲକ୍ଷ ଟନ୍‌ ଲିଥିୟମ ରହିଛି।

ଏହା ଚିହ୍ନଟ ହେବା ପରେ ଭାରତ ବିଶ୍ୱର ସପ୍ତମ ବୃହତ୍ତମ ଲିଥିୟମ ଭଣ୍ଡାରସମ୍ପନ୍ନ ଦେଶ ପାଲଟିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସ୍‌ଜିଏସ୍‌) ଅନୁଯାୟୀ ଭାରତରେ ଆବିଷ୍କାର ହେବା ପୂର୍ବରୁ ସାରା ବିଶ୍ୱରେ ୯୮ ନିୟୁତ ଟନ୍‌ ଲିଥିୟମ ଭଣ୍ଡାର ରହିଥିଲା। ଲିଥିୟମ ଭଣ୍ଡାର କ୍ଷେତ୍ରରେ ବୋଲିଭିଆ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି। ଏହାପରେ ଆର୍ଜେଣ୍ଟିନା ଦ୍ୱିତୀୟ, ଆମେରିକା ତୃତୀୟ, ଚିଲି ଚତୁର୍ଥ, ଅଷ୍ଟ୍ରେଲିଆ ପଞ୍ଚମ ଏବଂ ଚାଇନା ଷଷ୍ଠ ସ୍ଥାନରେ ରହିଛି। ଏହି ଦେଶଗୁଡ଼ିକରେ ବିଶ୍ୱର ଲିଥିୟମ ଭଣ୍ଡାରର ୭୬% ରହିଛି।

Share